ସାତଟି ବର୍ଗରେ ଓଡ଼ିଶାକୁ ଜାତୀୟ ପଞ୍ଚାୟତ ପୁରସ୍କାର

ଭୁବନେଶ୍ବର : ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକ୍ରମର ସୁଫଳ ଏବେ ଦେଖିବାକୁ ମିଳିଛି । ସାତଟି ବର୍ଗରେ ଓଡ଼ିଶାକୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୧୪ଟି ବର୍ଗରେ ମନୋନୀତ ୪୨ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କେଲୁଆପଲ୍ଲୀ ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଛି । ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ୍ କେନ୍ଦ୍ରକିଲୋ ପଞ୍ଚାୟତକୁ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ମିଳିଛି । ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାତକୁ ପୁରସ୍କାର ରାଶି ରୂପେ ୭୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍ ଅନ୍ତର୍ଗତ କଶିରା ଗ୍ରାମପଞ୍ଚାୟତ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ପାଇଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ସେହିଭଳି ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ସର୍ବୋଚ୍ଚ ପ୍ରଶିକ୍ଷଣ ପ୍ରଦାନକାରୀ ପ୍ରତିଷ୍ଠାନ ରୂପେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଛତ୍ରପୁର ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଶେଷ୍ଠ ବ୍ଲକ ପଞ୍ଚାୟତ ରୂପେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ରୂପେ ୨ କୋଟି ଟଙ୍କାର ପୁରସ୍କାର ହାସଲ କରିଛି । ସେହିପରି ଜାତୀୟ ସ୍ତରରେ କୋରାପୁଟ ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ୩ କୋଟି ଟଙ୍କାର ପୁରସ୍କାର ପାଇଛି ।