ମହାକାଶକୁ ନୂଆ ଆଖି ପଠାଇଲା NASA, ଖୋଲିବ ସୌରମଣ୍ଡଳ ସୃଷ୍ଟିର ରହସ୍ୟ

1 min read

ଓ୍ୱାଶିଂଟନ: ଖ୍ରୀଷ୍ଟମାସରେ ନାସାର ନୂଆ ଇତିହାସ । ଫ୍ରେଞ୍ଚ ଗୁଏନା ସ୍ପେସପୋର୍ଟରୁ ଲଞ୍ଚ ହେଲା ଜେମସ ଓ୍ୱେବ ଟେଲିସ୍କୋପ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପକୁ ଛାଡିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା । ୧୦ ବିଲିୟନ ଡଲାର ବ୍ୟୟରେ ନିର୍ମିତ ଏହି ଟେଲିସ୍କୋପ ହେଉଛି ହବଲ ଟେଲିସ୍କୋପଠାରୁ ଅଧିକ ଶକ୍ତିଶାଳୀ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅପରେଟ କରିବ ଜେମସ ଓ୍ୱେବ ଟେଲିସ୍କୋପ । ବିଶ୍ୱ ବ୍ରହ୍ମାଣ୍ଡ ସମ୍ପର୍କରେ ଅଧିକ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ସହ ପ୍ରଥମ ଗାଲାକ୍ସିର ସୃଷ୍ଟି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । ଏହା ସହ ଗ୍ରହ ଜଗତ ଓ ନକ୍ଷତ୍ର ସମ୍ପର୍କରେ ଗବେଷଣା କରିବା ଲାଗି ବେଶ୍ ସହାୟକ ହେବ ଏହି ଟେଲିସ୍କୋପ ।

ଗତ ୨୨ ତାରିଖରେ ଏହି ଟେଲିସ୍କୋପ ଲଞ୍ଚ ହେବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଇଲେକ୍ଟ୍ରୋନିକ କମ୍ୟୁନିକେସନ ସିଷ୍ଟମରେ ତ୍ରୁଟି ଓ ଖରାପ ପାଗ ଯୋଗୁ ଏହାକୁ ୨୪ ତାରିଖକୁ ସ୍ଥଗିତ ରଖାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଏହି ଟେଲିସ୍କୋପ ଜୀବନର ଉତ୍ପତ୍ତି ସମ୍ପର୍କରେ ବିବରଣୀ ମିଳିପାରିବ । ଆରିଆନେ-୫ ରକେଟ ଜରିଆରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଏପରି ଏକ ଅତ୍ୟାଧୁନିକ ଟେଲିସ୍କୋପ ଲାଗି ୨୫ ବର୍ଷ ଧରି ଉଦ୍ୟମ ହୋଇଆସୁଥିଲା । ଏହି ଟେଲିସ୍କୋପ ଜରିଆରେ ବିଗ୍ ବ୍ୟାଙ୍ଗ ଥିଓରି ସମ୍ପର୍କରେ ବି ତଥ୍ୟର ଉନ୍ମୋଚିତ ହୋଇପାରିବ । ଜାନୁଆରୀ ଶେଷ ସୁଦ୍ଧା ଏହି ଟେଲିସ୍କୋପ ନିଜ କକ୍ଷ ପଥରେ ଅବସ୍ଥାପିତ ହେବ ଓ ୬ ମାସର କମିଶନିଂ ପିରିୟଡ ଶେଷ କରିବ । ଏହି ଟେଲିସ୍କୋପ ନିର୍ମାଣ କାର୍ଯ୍ୟରେ ସାମିଲ ଥିଲେ ୧୪ଟି ଦେଶର ବୈଜ୍ଞାନିକ ।

ଏହି ଟେଲିସ୍କୋପର ଆଖି ଅର୍ଥାତ ଏହାର ଗୋଲ୍ଡେନ ମିରର ଚୌଡା ପ୍ରାୟ ୨୧.୩୨ ଫୁଟ । ଏହାକୁ ଏକପ୍ରକାର ରିଫ୍ଲେକ୍ଟର ମଧ୍ୟ କୁହାଯାଇପାରେ । ୧୮ଟି ଷଡ଼କୋଣକୁ ଏକତ୍ର କରି ଏହାକୁ ନିର୍ମାଣ କରାଯାଇଛି । ଏହି ଟେଲିସ୍କୋପ ବେରେଲିୟମରେ ତିଆରି ହୋଇଛି। ପ୍ରତ୍ୟେକ ଷଡ଼କୋଣ ଉପରେ ୪୮.୨ ଗ୍ରାମର ସୁନା ଚାଦର ଚଢାଯାଇଛି। ଏହା ପୃଥିବୀପୃଷ୍ଠରୁ ଅନୂନ୍ୟ ୧୫ଲକ୍ଷ କିଲୋମିଟର ଇପରେ ଥିବା କକ୍ଷପଥରେ ସ୍ଥାପିତ ହେବ। ଅନ୍ତରୀକ୍ଷରେ ଏହା ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିପାରିବ।

 

Leave a Reply