୨୪ ଘଣ୍ଟା ପରେ ବଦଳିଯିବ ଆମେରିକାର ଇତିହାସ,ଜାଣନ୍ତୁ କେମିତି..

1 min read

ୱାସିଂଟନ: ୨୪ଘଣ୍ଟା ପରେ ଆମେରିକା ବିଜ୍ଞାନର ଇତିହାସ ବଦଳିଯିବ । ଆମେରିକା ମହାକାଶ ବିଜ୍ଞାନ ଜଗତରେ ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି । ଯାହାର ସାକ୍ଷୀ ହେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ଅନେକ ବୈଜ୍ଞାନିକ । ମହାକାଶକୁ ପୁଣିଥରେ ମାନବ ମିଶନ ପଠାଇବାକୁ ନେଇ ୨୪ ଘଣ୍ଟା ପରେ ହେବାକୁ ଥିବା ଘଟଣା ଆମେରିକା ଇତିହାସରେ ମାଇଲଖୁଣ୍ଟ ପ୍ରମାଣିତ ହୋଇପାରେ  । ଆସନ୍ତୁ ଜାଣିବା ସମସ୍ତ ଘଟଣା ସମ୍ପର୍କରେ  ।

୨୧ ଜୁଲାଇ ୨୦୧୧ ପରେ, ପ୍ରଥମ ଥର ପାଇଁ ଆମେରିକା ମାଟିରୁ କୌଣସି ଏକ ମାନବ ମିଶନ ମହାକାଶକୁ ଯିବ । ତାହା ପୁଣି ଆମେରିକୀୟ ରକେଟ୍ ମାଧ୍ୟମରେ । ଅର୍ଥାତ୍ ୯ ବର୍ଷ ପରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ସେମାନଙ୍କ ମହାକାଶ କେନ୍ଦ୍ରରୁ ସ୍ୱଦେଶୀ ରକେଟରେ ମହାକାଶଚାରୀଙ୍କୁ ପଠାଇବ ଏବଂ ତାହା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ପର୍ଯ୍ୟନ୍ତ ପଠାଇବ । ନାସା ଏହାର ତାରିଖ ମଧ୍ୟ ସ୍ଥିର କରିସାରିଛି ।

ଆସନ୍ତା  ମେ ୨୭, ୨୦୨୦ରେ, ଅପରାହ୍ନ ୪.୩୩ରେ, ନାସା   ଦୁଇ ଜଣ ଆମେରିକୀୟ ମହାକାଶଚାରୀଙ୍କୁ ଆମେରିକୀୟ ରକେଟରେ ବାସାଇ ISSକୁ ପଠାଇବ । ଏହି ମିଶନରେ ସ୍ପେସ୍ ଷ୍ଟେସନକୁ ଯାଉଥିବା ଆମେରିକୀୟ ମହାକାଶଚାରୀ ମାନେ ହେଲେ ରାବର୍ଟ ବେନକେନ୍ ଏବଂ ଡଗଲସ୍ ହର୍ଲି ।

ଏହି ଦୁଇ ମହାକାଶଚାରୀଙ୍କୁ ଆମେରିକାର କମ୍ପାନୀ ସ୍ପେସ୍-ଏକ୍ସର  ସ୍ପେସକ୍ରାପ୍ଟ ବା ମହାକାଶଯାନ ଡ୍ରାଗନ୍ (ସ୍ପେସ୍ ଏକ୍ସ ଡ୍ରାଗନ୍)​​ରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ପଠାଯିବ । ସ୍ପେସ୍-ଏକ୍ସ ହେଉଛି ଆମେରିକୀୟ ଶିଳ୍ପପତି ଏଲନ୍ ମସ୍କଙ୍କ କମ୍ପାନୀ । ଭବିଷ୍ୟତ ପାଇଁ ଏହା ନାସା ସହ ମିଶି ଅନେକ ସ୍ପେସ୍ ମିଶନରେ କାମ କରୁଛି ।

ସ୍ପେସ୍-ଏକ୍ସ ଡ୍ରାଗନ୍ ମହାକାଶଯାନ ଆମେରିକାର ସବୁଠାରୁ ବିଶ୍ୱସ୍ତ ରକେଟ୍ ଫାଲକନ୍ -୯ ଉପରେ ଲଗାଯିବ । ଏହା ପରେ ଫାଲକନ୍ -୯ ରକେଟକୁ ଫ୍ଲୋରିଡାର ଲଞ୍ଚ କମ୍ପ୍ଲେକ୍ସ ୩୯ଏ ରୁ ଉତକ୍ଷେପଣ କରାଯିବ । ଏହି ମିଶନକୁ ଡେମୋ-୨ ମିଶନ୍ ନାଁ ଦିଆଯାଇଛି । ଡେମୋ- ୧ ମିଶନରେ ଡ୍ରାଗନ୍ ସ୍ପେସକ୍ରାଫ୍ଟରୁ ସଫଳତାର ସହିତ ସ୍ପେସ୍ ଷ୍ଟେସନକୁ ସାମଗ୍ରୀ ପଠାଯାଇଥିଲା ।

ଏହି ମିଶନରେ, ରବର୍ଟ ବେନକେନ୍ ମହାକାଶଯାନର ଡକିଂ ଅର୍ଥାତ୍ ସ୍ପେସ୍ ଷ୍ଟେସନରେ ଯୋଡ଼ି ହୋଇ, ଅନଡାକିଂ ସ୍ପେସ୍ ଅର୍ଥାତ୍ ସ୍ପେସ ଷ୍ଟେସନରୁ ପୃଥକତା ହେବା ଏବଂ ଏହାର ପଥ ନିର୍ଣ୍ଣୟ କରିବେ । ବେନକେନ୍ ପୂର୍ବରୁ ଦୁଇଥର ସ୍ପେସ୍ ଷ୍ଟେସନ୍ ପରିଦର୍ଶନ କରିଛନ୍ତି । ପ୍ରଥମ ଥର ପାଇଁ ସେ ୨୦୦୮ ରେ ଏବଂ  ଶେଷଥର ପାଇଁ  ୨୦୧୦ ରେ ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନକୁ ଯାଇଥିଲେ ।

ଏହାସହ, ଡଗଲସ୍ ହର୍ଲି ଡ୍ରାଗନ୍ ମହାକାଶଯାନର କମାଣ୍ଡର ହେବେ । ଉତକ୍ଷେପଣ, ଅବତରଣ ଏବଂ ପୁନରୁଦ୍ଧାର ପାଇଁ ସେ ଦାୟି ରହିବେ । ୨୦୦୯ ଏବଂ ୨୦୧୧ ରେ ଡଗଲସ୍ ସ୍ପେସ୍ ଷ୍ଟେସନକୁ ଯାଇଛନ୍ତି । ସେ ବୃତ୍ତିରେ ଜଣେ ସିଭିଲ୍ ଇଞ୍ଜିନିୟର ଥିଲେ । ପରେ ୨୦୦୦ ରେ, ସେ ନାସା ସହିତ ଜଡିତ ହୋଇଥିଲେ । ଏହାପୂର୍ବରୁ ଆମେରିକାର ମେରାଇନ୍ କର୍ପସରେ ଯୁଦ୍ଧ ବିମାନର ପାଇଲଟ୍ ଥିଲେ ।

ମେ ମାସରେ ଆରମ୍ଭ ହୋଇଥିବା ଏହି ମିଶନ ପରେ, ଏହି ଉଭୟ ମହାକାଶଚାରୀ ସ୍ପେସ୍ ଷ୍ଟେସନରେ ୧୧୦ଦିନ ରହିବେ । ଆପଣଙ୍କୁ କହି ରଖୁଛୁ ଯେ ସ୍ପେସ୍-ଏକ୍ସ ଡ୍ରାଗନ୍ କ୍ୟାପସୁଲ୍ ଥରକେ ୨୧୦ ଦିନ ପର୍ଯ୍ୟନ୍ତ ମାହାକାଶରେ ସମୟ ବିତାଇପାରିବ । ଏହା ପରେ ତାଙ୍କୁ ମରାମତି ପାଇଁ ପୃଥିବୀକୁ ଫେରିବାକୁ ପଡିବ ।

୯ ବର୍ଷ ପରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ବ୍ୟବସାୟିକ କ୍ରୁ କାର୍ଯ୍ୟକ୍ରମ ଆରମ୍ଭ କରୁଛି। ଏହି ମିଶନର ସଫଳତା ପରେ ଆମେରିକାକୁ ସେମାନଙ୍କ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଋଷ ଏବଂ ୟୁରୋପୀୟ ଦେଶମାନଙ୍କ ନିକଟକୁ ଯିବାକୁ ପଡିବ ନାହିଁ ।

୨୭ ଜୁଲାଇ ୨୦୧୧ ରେ, ନାସା ତାର ସବୁଠୁ ସଫଳତମ ସ୍ପେସ୍ ସଟଲ୍ ପ୍ରୋଗ୍ରାମ ବନ୍ଦ କରିଦେଇଥିଲା । ସେହି ଦିନ ସ୍ପେସ୍ ସଟଲ୍ ଆଟଲାଣ୍ଟିସ୍ ପୃଥିବୀକୁ ଫେରିଥିଲା । ସ୍ପେସ୍ ସଟଲ୍ ପ୍ରୋଗ୍ରାମ୍ ମାଧ୍ୟମରେ ସ୍ପେସ୍ ଷ୍ଟେସନକୁ ୧୩୫ ବିମାନ ଉଡ଼ାଣ କରାଯାଇଥିଲା । ୩୦ ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ମହାକାଶଚାରୀଙ୍କୁ ମହାକାଶକୁ ପଠାଯାଇଥିଲା ।

Leave a Reply