ମହାକାଶରେ ହବଲ୍ ଟେଲିସ୍କୋପ ଅଚଳ,ନାସା ଚକିତ

ଓ୍ବାସିଂଟନ: ପୁଣି ଅଚଳ ହେଲା ହବଲ୍ ଟେଲିସ୍କୋପ । ମହାକାଶରେ ପୃଥିବୀର ଆଖି କୁହାଯାଉଥିବା ହବଲ୍ ଟେଲିସ୍କୋପ ପୁଣି ଥରେ ଏକ ରହସ୍ୟମୟ ଭାବରେ ଅଚଳ ହୋଇପଡ଼ିଛି । ଗତ ଏକ ସପ୍ତାହ ହେବ ଏହି ହବଲ୍ ଟେଲିସ୍କୋପ ଅଫଲାଇନ୍ ଏବଂ ସୁରକ୍ଷିତ ମୋଡ଼ରେ ରହିଛି । ହବଲରେ ସମସ୍ୟା ହେତୁ ଏହା ମଧ୍ୟରେ ଥିବା ବୈଜ୍ଞାନିକ ଉପକରଣ ସବୁକୁ ବନ୍ଦ କରାଯାଇଛି । ତେବେ ଅଚନକ ଭାବରେ ଏହି ଟେଲିସ୍କୋପ କାହିଁକି ବନ୍ଦ ହେଲା ତାହାକୁ ନେଇ ଆମେରିକା ସ୍ପେସ୍ ଏଜେନ୍ସି ନାସାର ଇଞ୍ଜିନିୟରମାନେ ଏହାର କାରଣ ବୁଝିବା ପାଇଁ ବିଶ୍ଲେଷଣ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ନାସା କାରଣ ଖୋଜିପାରିନାହିଁ ।

ନାସାର ମୁଖପାତ୍ର ଇନସାଇଡରକୁ କହିଛନ୍ତି କି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେଣୁ ଏବେ ତ୍ରୁଟିର କାରଣ କହିବା କଷ୍ଟକର । ତେବେ ଏଥି ସହିତ ଇଞ୍ଜିନିୟରମାନେ ଏହାକୁ କିପରି ଠିକ୍ କରିବେ ଏବଂ ଏହା କେବେ କାମ କରିବ ତାହା କହିବା ମଧ୍ୟ କଷ୍ଟକର । ଚଳିତ ବର୍ଷ ଏହା ପ୍ରଥମ ଥର ନୁହେଁ ଯେ ହବଲ୍ ଟେଲିସ୍କୋପ କାମ କରିବା ବନ୍ଦ କରିଦେଇଛି । ଗତ ଜୁନ ୧୪ରେ ଏହା ଖରାପ ହୋଇଥିଲା ଯାହା ଫଳରେ ଏହାକୁ ୫ ସପ୍ତାହ ପାଇଁ ସୁରକ୍ଷିତ ମୋଡରେ ରଖାଯାଇଥିଲା ।

୨୦୦୯ ମସିହାରେ ଶେଷ ଥର ପାଇଁ ହବଲର ପୂରା ସିଷ୍ଟମ ବଦଳାଯାଇଥିଲା । ଏହାପରେ ନାସା ଇଞ୍ଜିନିୟରମାନଙ୍କ କଠିନ ପରିଶ୍ରମ ଦ୍ବାରା ହବଲ୍‌ ଟେଲିସ୍କୋପ ପୁଣି ଥିରେ କାମ କରିବା ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ୪ ମାସ ପରେ ଏହି ହବଲ୍ ଟେଲିସ୍କୋପ ପୁଣି ଥରେ କାମ କରିବା ବନ୍ଦ କରିଦେଇଛି । ହବଲ୍ ଟେଲିସ୍କୋପ ହେଉଛି ମହାକାଶରେ ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ବିଗତ ୩୦ ବର୍ଷ ଧରି ଏହି ଟେଲିସ୍କୋପ ମହାକାଶରେ ଅନେକ ଆବିଷ୍କାର କରିଛି । ୧୯୯୦ ମସିହାରେ ଆରମ୍ଭ ହୋଇଥିବା ହବଲ୍ ଟେଲିସ୍କୋପ ଧିରେଧିରେ ପୁରୁଣା ହେଉଛି । ଏହି ହବଲ୍ ଟେଲିସ୍କୋପକୁ ନାସା ୨୪ ଏପ୍ରିଲ ୧୯୯୦ରେ ମହାକାଶକୁ ପଠାଇଥିଲା । ମହାକାଶକୁ ପଠାଇବାର ଗୋଟିଏ ଦିନ ପରେ ହିଁ ଏହା କାମ କରିବା ଆରମ୍ଭ କରିଦେଇଥିଲା । ତେବେ ଏହାକୁ ଅନେକ ଥର ମରାମତି କରାଯାଇଛି କିନ୍ତୁ ଏବେବି ଏଥିରେ କିଛି ସମସ୍ୟା ଦେଖାଯାଉଛି । ନାସା ବର୍ତ୍ତମାନ ହବଲ୍ ଟେଲିସ୍କୋପ ସ୍ଥାନରେ ୧୦ ବିଲିୟନ ଡଲାରରେ ଜେମ୍ସ ଓ୍ବେବ୍ ଟେଲିସ୍କୋପ ଲଞ୍ଚ କରିବାକୁ ଯାଉଛି ।

Leave a Reply