ଆଜି ମୁଜାଫରନଗରରେ ବସିବ ମହାପଞ୍ଚାୟତ, ଚାଷୀନେତାଙ୍କ ଅଧ୍ୟକ୍ଷତାରେ ବୈଠକ

ମୁଜାଫରନଗର: କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ପ୍ରସଙ୍ଗରେ ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ ବସିବ ମହାପଞ୍ଚାୟତ । ଚାଷୀ ନେତା ନରେଶ ଟିକାୟତଙ୍କ ଅଧକ୍ଷ୍ୟତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବୈଠକରେ ଶହ ଶହ ସଂଖ୍ୟାରେ ଖାପ ପଞ୍ଚାୟତ ପ୍ରତିନିଧି ଓ କୁସ୍ତି ଯୋଦ୍ଧାଙ୍କ ସମର୍ଥକ ମାନେ ଯୋଗ ଦେବେ । ଗଙ୍ଗାରେ ମେଡାଲ ଭସାଇବାକୁ ନେଇ କୁସ୍ତି ଯୋଦ୍ଧାଙ୍କ ଘୋଷଣା ପରେ ନରେଶ ଟିକାୟତ ସେମାନଙ୍କୁ ବୁଝାସୁଝା କରିଥିଲେ ।

୫ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି କହିଥିଲେ ନରେଶ ଟିକାୟତ । ଏହି ପରିପେକ୍ଷୀରେ ଆଜି ଏହି ବଡ଼ ବୈଠକ ହେବାକୁ ଯାଉଛି । ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ସହ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା । ୩୬ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିବା ପରେ ଗତ ୨୮ ତାରିଖରେ ରାସ୍ତାରେ ଘୋଷାଡ଼ି ଘୋଷାଡି କୁସ୍ତି ଯୋଦ୍ଧାଙ୍କୁ ତଡ଼ି ଦେଇଥିଲେ ଦିଲ୍ଲୀ ପୋଲିସ । ଏହାପରେ ପ୍ରତିବାଦ ସ୍ବରୁପ କୁସ୍ତି ଯୋଦ୍ଧା ମାନେ ତାଙ୍କୁ ମିଳିଥିବା ମେଡାଲ ସବୁ ହରିଦ୍ବାର ଯାଇ ଗଙ୍ଗାରେ ଭସାଇବାକୁ ନିଷ୍ପତ୍ତି ନେଇଥିଲେ ।