ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି, ଫୁଲମାଳା ଧରି ପିଏମଙ୍କ ଗାଡ଼ି ପାଖରେ ପହଞ୍ଚିଗଲା ଯୁବକ

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଦେଖା ଦେଇଛି । ହୁବଲିରେ ରୋଡ ଶୋ’ ସମୟରେ ଏହି ତ୍ରୁଟି ପରିଲକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ଗାଡ଼ିରେ ଲୋକମାନଙ୍କୁ ହାତ ହଲେଇ ଯାଉଥିବା ସମୟରେ ଜଣେ ଯୁବକ ସୁରକ୍ଷା ବଳୟ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚି ଯାଇଥିଲା । ତେବେ ହୁବଲି ପୋଲିସ କମିଶନର ସୁରକ୍ଷାରେ ତ୍ରୁଟି କତାକୁ ଅଶ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ । 

ସୂଚନା ମୁତାବକ, ରୋଡ ଶୋ’ ସମୟରେ ଜଣେ ଯୁବକ ଅଚାନକ ପିଏମଙ୍କ ଗାଡ଼ି ପାଖରେ ପହଞ୍ଚି ଯାଇଥିଲା । ଯୁବକ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଫୁଲ ମାଳା ପିନ୍ଧାଇବା ପାଇଁ ଚାହୁଁଥିଲା । ଅବଶ୍ୟ, ବ୍ୟକ୍ତି ଜଣଙ୍କୁ ପିଏମଙ୍କ ପାଖକୁ ଆସୁଥିବାର ଦେଖି ସୁରକ୍ଷାକର୍ମୀ ଅଟକାଇ ଦେଇଥିଲେ । ତାକୁ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ କନଭୟ ଠାରୁ ଦୂରକୁ ନିଆଯାଇଥିଲା । ଏହି ସମୟରେ ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଚାରି ପାଖରେ ଏତେ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପାଖକୁ କେମିତି ପହଞ୍ଚିଲେ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି ।