ଭୁବନେଶ୍ବର: ପୁଣେ ନୁହେଁ, ଏଣିକି ଭୁବନେଶ୍ବରରେ ହେବ ନାର୍କୋ ଆନାଲିସିସ୍ ଟେଷ୍ଟ । ଅପରାଧୀଙ୍କ ଠାରୁ ଆଦାୟ ହେବ ସତ । ଖର୍ଚ୍ଚ କମ୍ ହେବା ସହ ବଞ୍ଚିବ ସମୟ । ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ଏହି ଟେଷ୍ଟ । ମେସିନ ବି ଆସି ସାରିଛି ।  ଏନେଇ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ ଓ କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ବୈଠକ ହୋଇଛି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲର ଆନାସ୍ତେସିଆ ବିଶେଷଜ୍ଞ ଓ ମନସ୍ତତ୍ବବିତଙ୍କୁ ତାଲିମ୍ ଦିଆଯାଇଛି ।

ମିଛ କହୁଥିଲେ ସାବଧାନ । ଆଉ ବର୍ତ୍ତି ପାରିବେନି ଅପରାଧୀ । ଏଣିକି ଭୁବନେଶ୍ବରରେ ଧରା ପଡ଼ିବ ମିଛ । ଅଭିଯୁକ୍ତଙ୍କ ଠାରୁ ସତ ଓଗାରିବାକୁ ଆଉ ଯିବାକୁ ପଡ଼ିବନି ପୁଣେ । ନଭେମ୍ବରରୁ କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ୍ ଟେଷ୍ଟ । ମିଳିତ ଭାବେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ କ୍ୟାପିଟାଲ ହସପିଟାଲ ଓ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ । ପହଞ୍ଚି ସାରିଛି ମିଛ ଧରା ମେସିନ୍ । ପୂର୍ବରୁ କୋର୍ଟଙ୍କ ଅନୁମତି ସାଙ୍ଗକୁ ପୁଣେ ଲ୍ୟାବ ପାଇଁ ମଗାଯାଉଥିଲା ସମୟ । ଯେଉଁଥିରେ ସମୟ ନଷ୍ଟ ହେବା ସହ ଖର୍ଚ୍ଚ ବି ବଢୁଥିଲା । ହେଲେ ଏବେ କ୍ୟାପିଟାଲ ହସପିଟାଲରେ ନାର୍କୋ ଟେଷ୍ଟ କରାଗଲେ, କୋର୍ଟଙ୍କ ଅନୁମତି ମିଳିବା ସହ ସମୟ ଓ ଅର୍ଥ ବଞ୍ଚିବ । ଟେଷ୍ଟ ସମୟରେ ମିଛ ଧରା ମେସିନକୁ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯିବ । କ୍ୟାପିଟାଲ ହସପିଟାଲ ଓଟିରେ ଟେଷ୍ଟ କରାଯିବା ସହ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ ।

ପୂର୍ବରୁ ଷ୍ଟେଟ୍ ଫରେନସିକ୍ ଲ୍ୟାବରେ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଉଥିଲା । ପଲିଗ୍ରାଫ୍ ଟେଷ୍ଟ ସମୟରେ ଅଭିଯୁକ୍ତଙ୍କ ବ୍ୟବହାରରୁ ମିଛ ଧରାପଡ଼େ । ଯେଉଁଥିରେ ଅଭିଯୁକ୍ତଙ୍କୁ ପ୍ରଶ୍ନ କରାଯାଏ । ପ୍ରଶ୍ନକୁ ନେଇ ଅଭିଯୁକ୍ତଙ୍କ ବ୍ୟବହାର ଓ ରକ୍ତଚାପ ଦେଖାଯାଏ । ବ୍ୟବହାରରେ ପରିବର୍ତ୍ତନ ହେବାରୁ ସତମିଛର ପରୀକ୍ଷା କରାଯାଏ । ହେଲେ ନାର୍କୋ ଆନାଲିସିସ୍ ଟେଷ୍ଟ ସଂପୂର୍ଣ୍ଣ ଭିନ୍ନ । ଏହି ପ୍ରକ୍ରିୟାରେ ଅଭିଯୁକ୍ତଙ୍କୁ ସାଲାଇନରେ ସୋଡିୟମ୍ ପେନ୍ଥୋଥାଲ ଦିଆଯାଏ । ଏହା ଦ୍ବାରା ଅଭିଯୁକ୍ତଙ୍କୁ ନିଶାଶକ୍ତ କରାଯାଇ ସତ ବାହାର କରାଯାଏ ।