ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
ପୁରୀ: ନନ୍ଦୋତ୍ସବ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି । ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ପ୍ରଭୁ ରାମ, କୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରିବେ । ଦକ୍ଷିଣ ଘରୁ ମଦନମୋହନ ଆସି ଦୋଳିରେ ବସିବେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ । ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇବେ । ତେଣୁ ରାମ, କୃଷ୍ଣ ଓ ମଦନମୋହନ ଦୋଳିରୁ ଓହ୍ଲାଇ ଖଟ ଉପରେ ବିଜେ ହେବେ । ଭିତରଛୁ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିଆସି ସ୍ନାନମଣ୍ଡପ ଉପରେ ବସିବେ । ପରେ ଭରତିଆ ଗୌଡ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ ।