ନନ୍ଦିଘୋଷ ଟିଭିର ପ୍ରଭାଵ: ଯୋଗାଣ ବିଭାଗ ବାତିଲ କଲା ୧ ହଜାର ୯୬ ଭୂତ ରାସନ କାର୍ଡ

ରାଉରକେଲା: ନନ୍ଦିଘୋଷ ଟିଭିର ପ୍ରଭାଵ । ରାଉରକେଲା ସହରରେ ୧ ହଜାର ୯୬ ଭୂତ ରାସନ କାର୍ଡ ବାତିଲ କଲା ଯୋଗାଣ ବିଭାଗ । ଯୋଗାଣ ବିଭାଗ ଓ ଭିଜିଲାନ୍‌ସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଭୂତ ରାସନ କାର୍ଡ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି  ଏହାସହ ଯୋଗାଣ ବିଭାଗର ବିଭିନ୍ନ ରେକର୍ଡ ଭିଜିଲାନ୍‌ ବିଭାଗ ପକ୍ଷରୁ ଜବତ କରାଯାଇଛି । ଭୂତ ରାସନ କାର୍ଡରେ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିବା  ରାଉରକେଲା ସହରର ୧୨୩ ଜଣ କଣ୍ଟ୍ରୋଲ ଡିଲରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ତେବେ କେଉଁ ଅଧିକାରୀ ଏହି ରାସନ କାର୍ଡ ମଞ୍ଜୁର କରିଥିଲେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ ସାମଗ୍ରୀ କିଏ କିଏ  ହଡ଼ପ କରିଛନ୍ତି ସେନେଇ ଜୋଗାଣ ବିଭାଗ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହାସହ ଯେଉଁ ୧୨୩ଜଣ କଣ୍ଟ୍ରୋଲ ଡିଲର ଏହି ସାମଗ୍ରୀ ବଣ୍ଟନ କରିଛନ୍ତି ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଯୋଗାଣ ବିଭାଗ ସୂଚନା ଦେଇଛି ।

ରାଉରକେଲା ଯୋଗାଣ ବିଭାଗରେ ଭୂତ ରାସନ କାର୍ଡ ଥିବା ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରାଯାଇଥିଲା । ରାଉରକେଲାର ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହିମଧ୍ୟରେ ରାଜ୍ୟ ସରକାର ଯେଉଁ ଲକଡାଉନ ସହାୟତା ୧ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । କିନ୍ତୁ ପ୍ରାୟ ୧୩୩୦ ରାସନକାର୍ଡ ହିତାଧିକାରୀ ସେହି ସହାୟତା ନେଇ ନଥିଲେ ।

କଣ ପାଇଁ ଏହି ହୀତାଧିକାରୀମାନେ ସହାୟତା ନେଉ ନାହଁନ୍ତି ଏନେଇ ସନ୍ଦେହ ବଢିଥିଲା । ଯୋଗାଣ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ସହାୟତା ନେବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ବି ସେମାନେ ସହାୟତା ନେଉ ନଥିଲେ । ୧୩୩୦ ହିତାଧିକାରୀଙ୍କ ମଧ୍ୟରୁ ୧୦୯୬ ଜଣ ହିତାଧିକାରୀ ଯୋଗାଣ ବିଭାଗ ଓ ରାଉରକେଲା ମହାନଗର ନିଗମକୁ ମଧ୍ୟ ଆସି ନଥିଲେ । ତେବେ ଏନେଇ ତଦନ୍ତ ହେବା ପରେ ୧୦୯୬ ଭୂତ ରାସନ କାର୍ଡ ହୋଇଥିବା ଜଣା ପଡ଼ିଥିଲା ।

Leave a Reply