ଗ୍ରୀଷ୍ମରେ ନନ୍ଧିଘୋଷ ଟିଭିର ନୂଆ ଅଭିଯାନ- ‘ପାଣି ଦିଅନ୍ତୁ ପୁଣ୍ୟ ନିଅନ୍ତୁ’

ନନ୍ଦିଘୋଷ ବ୍ୟୁରୋ:” ଧୁ ଧୁ ଖରା, ଶୁନଶାନ ରାସ୍ତା । ଗାଁରୁ ସହର ସବୁଠି ଖରାର ଅଘୋଷିତ କର୍ଫ୍ୟୁ । ଶୁଖୁଛି ମାଟି, ଶୁଖୁଛି ତଣ୍ଟି, ଶୁଖୁଛି ଜୀବନ । ପଦାକୁ ବାହାରିବାକୁ ପାଦ ପଛଘୁଞ୍ଚା ଦେଉଛି । ଘରୁ ଗୋଡ଼ କାଢିଲେ ଦେହ ସିଝି ଯାଉଛି, ମୁହଁ ପୋଡ଼ିଯାଉଛି । ତାତିର ତାଉରେ ଆକ୍ତାମାକ୍ତା ଜନଜୀବନ । ପ୍ରଖର ଗ୍ରୀଷ୍ମ ପ୍ରବାହରୁ ମୁକ୍ତି କେତେ ପନ୍ଥା ଆପଣାଉଛି ମଣିଷ । ବାଟଘାଟରେ ଜଳଛତ୍ର, ଛକଛକରେ ବିଶ୍ରାମସ୍ଥଳୀ । ମଣଷର ମନ ବୁଝିବାକୁ ସଭିଏ ଅଛନ୍ତି । ଆତ୍ମୀୟଙ୍କଠୁ ସରକାର ପର୍ଯ୍ୟନ୍ତ ।

ହେଲେ କେବେ ଭାବିଛନ୍ତି ଆପଣଙ୍କ ଚାରିପାଖରେ ବୁଲୁଥିବା ବୁଲା ଗାଈଗୋରୁଙ୍କ କଥା । ଆପଣଙ୍କ ଅଗଣାକୁ ଆସି ଚାହିଁ ରହୁଥିବା ପକ୍ଷୀଙ୍କ କଥା । ସେମାନଙ୍କୁ ବି ଶୋଷ ହେଉଛି, ସେମାନେ ବି ଛାଇ ଖୋଜୁଛନ୍ତି, ପବନ ଟିକେ ପାଇଁ ଖୋଜି ହେଉଛନ୍ତି । ତତଲା ସହରରେ ତ୍ରାହି ଡାକୁଛନ୍ତି ପଶୁ ପକ୍ଷୀ । ଆପଣ ଅନୁଭବ କରନ୍ତୁ ପକ୍ଷୀଙ୍କ ଦୁଃଖ, ବୁଝନ୍ତୁ ପଶୁଙ୍କ ବେଦନା । ଭାବନ୍ତୁ ସେମାନେ ଆମ ପରିବାରର, ଆମ ସମାଜର । ଶୋଷିଲା ରହିବେନି ପଶୁ, ସୁଖିଯିବନି ପକ୍ଷୀଙ୍କ ତଣ୍ଟି । ଆପଣଙ୍କ ବୁନ୍ଦାଏ ପାଣି, ସେମାନଙ୍କ ପାଇଁ ଆଶାର ଜୀବନ । ପାଣି ରଖନ୍ତୁ ଛାତରେ, ବାରଣ୍ଡାରେ, ରାସ୍ତା ପାଖରେ ।

ଦେଖିବେ ଅପାଣଙ୍କ ବୁନ୍ଦାଏ ଜଳରେ ବଞ୍ଚିଯିବ ସେମାନଙ୍କ ଜୀବନ । ଆପଣଙ୍କ ପାଣିକୁଣ୍ଡ ସାଜିବ ସେମାନଙ୍କ ପାଇଁ ନଈନାଳ । ଆପଣଙ୍କ ବାରଣ୍ଡାରେ ଟୋପେ ପାଣି ସାଜିବ ସେମାନଙ୍କ ପାଇଁ ପୋଖରୀ । ଅଜାଣତରେ ଫିଙ୍ଗୁଥିବା ପାଣି, ଜାଣନ୍ତରେ ରଖିଦିଅନ୍ତୁ ସେମାନଙ୍କ ପାଇଁ । ଆସନ୍ତୁ ନିଜ ବ୍ୟବସ୍ଥିତ ଜୀବନରୁ ଟିକିଏ ସମୟ ବାହାର କରି ସେମାନଙ୍କ ପାଇଁ ନିଜ ସାଧ୍ୟମତେ ଟିକେ ପାଣିର ବ୍ୟବସ୍ଥା କରିବା । ସାମିଲ ହୁଅନ୍ତୁ ନନ୍ଦିଘୋଷ ଟିଭି କ୍ୟାମ୍ପେନରେ । ପାଣି ଦିଅନ୍ତୁ ପୁଣ୍ୟ ନିଅନ୍ତୁ.. ।