ଜୁନ ୪: ବିଜେଡିକୁ ମିଳିବ ୧୧୭ ଆସନ, ନବୀନ ହେବେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: କାମ ଦେବନି ବିରୋଧୀଙ୍କ ହୀନ ରାଜନୀତି । ଷଷ୍ଠ ଥର ପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଏବେ ବୁଥ ବାହୁଡ଼ା ମତ । ଆସନ୍ତା ୪ ତାରିଖରେ ବହୁମତ ପାଇବ ବିଜେଡି । ୧୧୭ ଆସନ ଜିତି ବିଜେଡି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ । ୨୫ ବର୍ଷ ଧରି ରାଜ୍ୟର ଚାମ୍ପିଅନ୍ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ମନ୍ତ୍ର ଆଗରେ ବିରୋଧୀଙ୍କ ରଣନୀତି ସବୁଥର ପରି ଫେଲ ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି ।

କାମ ଦେବନି ବିରୋଧୀଙ୍କ ଚାଲ୍‌ । ରାଜ୍ୟବାସୀଙ୍କୁ ପ୍ରଭାବିତ କରିପାରିନି ବିରୋଧୀଙ୍କ ହୀନ ରାଜନୀତି । ସତ ହେବାକୁ ଯାଉଛି ସକାଳ-ନନ୍ଦିଘୋଷ ଟିଭିର ବୁଥ ବାହୁଡ଼ା ମତ । ବିଧାନସଭାରେ ବିଜେଡିକୁ ୧୧୭ ଆସନ ମିଳୁଥିବା ବେଳେ ଲୋକସଭାରେ ୧୧ରୁ ୧୨ ଆସନ ହାତେଇବ ଦଳ । ୨୦୧୯ରେ ବି ବିରୋଧୀ ଜାତୀୟ ସ୍ତରର ବୁଥ ବାହୁଡ଼ା ମତକୁ ନେଇ ବାଜି ମାରିବେ କହୁଥିଲେ । କିନ୍ତୁ ବିଜେଡି ୧୧୨ ଆସନ ପାଇ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲେ ନବୀନ ପଟ୍ଟନାୟକ । ୨୦୨୪ରେ ବି ସମାନ ଧାରା ବଜାୟ ରହିବ ବୋଲି ବିଜେଡି ଦାବି କରିଛି । ଖୋଲାଖୋଲି ନ କହିଲେ ବି ନବୀନଙ୍କ ଲୋକପ୍ରିୟତା କାଏମ ରହିଥିବା କଂଗ୍ରେସ ସ୍ବୀକାର କରିଛି ।

ସ୍ବଚ୍ଛ ଓ ସ୍ଥିର ସରକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ଆଉ କୌଣସି ରାଜନୈତିକ ଦଳ ତିଆରି କରିପାରିନି । ଏଥର ବିଜେପି ଯେପରି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ପ୍ରତି ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ଯେତେ କଟୁ ମନ୍ତବ୍ୟ ରଖିଲା, ଗଣତନ୍ତ୍ର ଇତିହାସରେ ଏକ ଭୁଲ ପରମ୍ପରା ସୃଷ୍ଟି ହେଲା । ସେସବୁ ଭୋଟରଙ୍କୁ ପ୍ରଭାବିତ କରିପାରିନି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଯେତିକି ଲୋକସଭା ଆସନ ଜିତିଥିଲା ସେତିକି କିମ୍ବା ତାଠୁ କିଛି ଅଧିକ ଆସନ ହାସଲ କରିପାରେ ।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ସମୟରେ ରାଜ୍ୟର ୨୧ ସଂସଦୀୟ କ୍ଷେତ୍ର ଓ ୧୪୭ ବିଧାନସଭା ଆସନରେ ବୈଜ୍ଞାନିକ ପଦ୍ଧତିରେ ସକାଳ-ନନ୍ଦିଘୋଷ ଟିଭି ପକ୍ଷରୁ ୨୯ ହଜାର ୪୦୦ ବୁଥ ବାହୁଡ଼ା ମତର ନମୁନା ବିଶ୍ଲେଷଣ କରାଯାଇଥିଲା । ଯେଉଁଥିରେ ସାମିଲ ଥିଲେ କର୍ମଜୀବୀ, କୃଷକ, ଶ୍ରମିକ, ନୂଆ ଭୋଟର ଓ ବିଭିନ୍ନ ବର୍ଗର ୪୪ ପ୍ରତିଶତ ମହିଳା ୫୬ ପ୍ରତିଶତ ପୁରୁଷ ।