ନନ୍ଦନକାନନର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ; ୫T ଉପକ୍ରମରେ ହେବ ରୂପାନ୍ତରଣ

1 min read

ଭୁବନେଶ୍ୱର : ନୂଆରୂପ ପାଇବ ନନ୍ଦନକାନନ । ୫T ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତରଣ । ଦୁଇଟି ପର୍ଯ୍ୟାୟରେ ରୂପାନ୍ତରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ ନନ୍ଦନକାନନରେ ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆ ଯୋଜନାରେ ପର୍ଯ୍ୟଟକଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ବାରିଅମ, ପକ୍ଷୀ ବିହାର , ଦେଶ ବିଦେଶରୁ ନୂତନ ପ୍ରାଣୀ, ଇମରସିଭ ଏନକ୍ଲୋଜର ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ବତନ୍ତ୍ର ହବ୍ ଭାବରେ ବିକାଶିତ କରାଯିବ । ଦୁଇଟି ପର୍ଯ୍ୟାୟରେ ରୂପାନ୍ତରଣ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ୨୦୨୩ ରୁ ୨୦୨୫ ମଧ୍ୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ କରାଯିବ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ୨୦୨୫ରୁ ୨୦୨୮ ମଧ୍ୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ଏଥିରେ ରାତ୍ରୀ ସଫାରୀ ଓ ସଫାରୀ କମ୍ପ୍ଲେକ୍ସର ବିକାଶ କରାଯିବ । ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍ ଭାବରେ ବିକାଶ କରିବା ପାଇଁ ଯୋଜନା ରହିଛି । ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ବତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ବାସାଡର’ ଆଦି କାର୍ଯ୍ୟକ୍ରମ ରହିଛି । ଏହାସହିତ ସିଟିଜେନ ସାଇନ୍ସ, ନୋ ୟୋର ଟ୍ରିଜ୍ ଆଦି ବିଭିନ୍ନ ଆକ୍ଟିଭିଟି କରାଯିବ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଇଣ୍ଟର୍ନସିଭ ଓ ଜୁ ଭଲ୍ୟୁଣ୍ଟିଅର ଆଦି କାର୍ଯ୍ୟକ୍ରମ କରାଯିବ ।

ଗତ ମେ ୨୩ ତାରିଖରେ ଜଙ୍ଗଲ ବିଭାଗର ରିପୋର୍ଟ କାର୍ଡ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ନନ୍ଦନକାନନର ରୂପାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ନନ୍ଦନକାନନରେ ୪୮ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ଟି ପ୍ରଜାତିର ପକ୍ଷୀ, ୩୦ଟି ପ୍ରଜାତିର ସରୀସୃପ ଓ ୬ଟି ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି । ସମୁଦାୟ ୧୬୧ ପ୍ରଜାତିର ୪୦୧୨ଟି ପ୍ରାଣୀ ଅଛନ୍ତି । ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଅଧିକ ପ୍ରାଣୀ ଆଣିବା ପାଇଁ ଯୋଜନା କରାଯାଇଛି । ଦେଶର ଉତ୍ତରପୂର୍ବ ଅଞ୍ଚଳରୁ ହୁଲକ ଗିବନ, ମାକ୍ୟୁ, ଏକ ସିଙ୍ଗିଆ ଗଣ୍ଡା, ବିଭିନ୍ନ ପ୍ରଜାତିର ମାଙ୍କଡ, କ୍ଲାଉଡେଡ ଲିୟୋପାର୍ଡ ଆଦି ଆଣିବାର ପ୍ରସ୍ତାବ ରହିଛି ସେହିପରି ଅଷ୍ଟ୍ରେଲିଆରୁ କାସଓ୍ବାରୀ, କଙ୍ଗାରୁ ଓ ଓ୍ବାଲବି ଆଣିବାର ପ୍ରସ୍ତାବ ରହିଛି ।