ଜନ୍ମଦିନ ପାଳୁଛି ନନ୍ଦନକାନନ, ଆଜିଠୁ ନୂଆ ଅତିଥିଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ
ଭୁବନେଶ୍ବର: ଆଜି ନନ୍ଦନକାନନର ଜନ୍ମଦିନ । ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ବ୍ୟାପକ କାର୍ଯ୍ୟକ୍ରମ । ଏହି ଅବସରରେ ଚିଲଡ୍ରେନ ପାର୍କ ଓ ପ୍ରାଣୀ ଚିକିତ୍ସାଳୟର ନୂତନ ଅପରେସନ ଥିଏଟର, ଶିଶୁ ପଶୁପାଳନ କେନ୍ଦ୍ର ଉଦଘାଟନ କରାଯିବ । ଆଜିଠୁ ନୂଆ ପଶୁପକ୍ଷୀଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ ।
ମହୀଶୂର ଚିଡିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଜନ୍ତୁ ମିରକେଟ, କଳା ହଂସଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ । ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେବେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା, ମୁଖ୍ୟ ବନ୍ୟ ସଂରକ୍ଷକ ସୁଶୀଲ କୁମାର ପୋପ୍ଲେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଗତ ୬୨ବର୍ଷରେ ନନ୍ଦନକାନନକୁ ଅନେକ ପଶୁପକ୍ଷୀ ଆସିଛନ୍ତି । ଏଠାରୁ ଅନେକ ପଶୁପକ୍ଷୀ ଅନ୍ୟ ଚିଡିଆଖାନାକୁ ମଧ୍ୟ ଯାଇଛନ୍ତି । ପର୍ଯ୍ୟଟକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି ନନ୍ଦନକାନନ । ଛୁଟି ଦିନ ହେଉ ଅବା ମନୋରଞ୍ଜନ ପାଇଁ ହେଉ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ନନ୍ଦନକାନନ ।