ବିରୋଧ ସତ୍ତ୍ୱେ ତାଇୱାନରେ ପହଞ୍ଚିଲେ ନାନସି, ଚେତାବନୀ ଦେଲା ଚୀନ

ନନ୍ଦିଘୋଷ ବ୍ୟୁରୋ: ଆମେରିକୀୟ ସଂସଦର ବାଚସ୍ପତି ନାନସି ପେଲୋସି ଚୀନର ବିରୋଧ ସତ୍ତ୍ୱେ ତାଇୱାନର ରାଜଧାନୀ ତାଇପେରେ ପହଞ୍ଚିଛନ୍ତି । କଡା ସୁରକ୍ଷା ମଧ୍ୟରେ ତାଇଓ୍ବାନର ରାଷ୍ଟ୍ରପତି ନାନସିଙ୍କୁ ସ୍ବାଗତ କରିଛନ୍ତି । ବାୟୁସେନା ଏବଂ ନୌସେନାର ୨୪ ଅତ୍ୟାଧୁନିକ ଯୁଦ୍ଧ ବିମାନ ନାନସିଙ୍କ ବିମାନକୁ ଏସ୍କର୍ଟ କରି ରାଜଧାନୀ ପର୍ଯ୍ୟନ୍ତ ନେଇଥିଲେ । ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଗତ ନିକଟରେ କହିଥିଲା  ଯେ, ପୋଲୋସିଙ୍କ ବିମାନ ଯଦି ତାଇୱାନ ଅଭିମୁଖେ ଯାଏ ତେବେ ତାକୁ ଉଡାଇ ଦିଆଯିବ ।

ତାଇଓ୍ବାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗତ ୩୦ ତାରିଖରେ ଚୀନ ପ୍ରତିପକ୍ଷ ଚେତାବନୀ ଦେଇଥିଲା । ତାସତ୍ବେ ପେଲୋସି ତାଇଓ୍ବାନ ଗସ୍ତ କରିଛନ୍ତି । ବିଗତ ୨୫ ବର୍ଷ ମଧ୍ୟରେ ତାଇଓ୍ବାନ ଗସ୍ତରେ ଯିବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ନାନସି । ଆମେରିକା ଓ ଚୀନ ମଧ୍ୟରେ ବିବାଦ ପରିପ୍ରେକ୍ଷୀରେ ତାଇଓ୍ବାନ ସମୁଦ୍ରରେ ସମରାଭ୍ୟାସ କରିଛି ।

ତେବେ ଏତେ ସବୁ ଧମକ ସତ୍ତ୍ୱେ ନାନସି ତାଇୱାନରେ ପହଞ୍ଚି ଚୀନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ତେବେ ନାନସିଙ୍କ ବିମାନ ତାଇପେ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ଚୀନ୍ ବିଚଳିତ ହୋଇ ପଡ଼ିଛି । ଚୀନ ବିଦେଶ ମନ୍ତ୍ରଣାଳୟ କହିଛି ଯେ ଆମେରିକା ଭୟଙ୍କର ଜୁଆ ଖେଳୁଛି ଏବଂ ଏବେ ଯେଉଁ ଗମ୍ଭୀର ପରିଣାମ ଘଟିବ ସେଥିପାଇଁ ଆମେରିକା ଦାୟୀ ରହିବ । ସେହିପରି ଚୀନର ଯୁଦ୍ଧ ବିମାନ ତାଇୱାନ ବାୟୁସୀମାରେ ଉଡୁଥିବାର ଦେଖାଯାଇଛି । ଚୀନରେ ଏବେ ଯୁଦ୍ଧ ଆଲର୍ଟ ବାଜିଛି ।

ଚୀନ ଲଗାତାର ନାନସି ପେଲୋସିଙ୍କ ତାଇୱାନ ଗସ୍ତକୁ ବିରୋଧ କରିଆସୁଥିଲା । ଚୀନ କହିଛି ଆମେରିକା ତାଇୱାନର ବିଚ୍ଛିନତାବାଦକୁ ସମର୍ଥନ କରି ଆମେରିକା ଚୀନ ସହ ସମ୍ପର୍କ ଖରାପ କରିଛି । ନାନସି ପେଲୋସି ତାଇୱାନରେ ପହଞ୍ଚିବା କ୍ଷଣି ଚୀନରେ ଆଲର୍ଟ ଦେଖାଯାଇଥିଲା । ସିଭିଲ ଡିଫେନ୍ସର ଆଲାରାମ ବାଜିଛି । ନାନସି ତାଇୱାନରେ ପହଞ୍ଚିବା ପରେ କହିଛନ୍ତି, ଆମେ କେବଳ ତାଇୱାନ ଗଣତନ୍ତ୍ରକୁ ସମର୍ଥନ କରୁଛୁ । କେହି ଯଦି ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ବିରୋଧରେ ବାହାରିବ ।

ସୂଚନା ଥାଉକି, ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ବହୁତ ପୂରୁଣା । ୧୯୪୯ରେ କମ୍ୟୁନିଷ୍ଟ ପାର୍ଟି ସିଭିଲ ଯୁଦ୍ଧ ଜିତିଥିଲା । ସେବେଠୁ ଦୁଇ ପ୍ରାନ୍ତ ନିଜେ ନିଜକୁ ଏକ ଦେଶ ବୋଲି ମାନି ଆସୁଛନ୍ତି । ହେଲେ ରାଷ୍ଟ୍ରୀୟ ନେତୃତ୍ୱ କେଉଁ ସରକାର କରିବ ତାକୁ ନେଇ ବିବାଦ ଜାରି ରହିଛି । ଚୀନ କିନ୍ତୁ ତାଇୱାନକୁ ନିଜର ଅଂଶ ବୋଲି ମାନିଆସିଛି । ଯେତବେଳେ କି ତାଇୱାନ ନିଜେ ସ୍ୱାଧୀନ ଦେଶ ବୋଲି କହୁଛି ।

ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠୁ ବିବାଦ ଲାଗି ରହିଛି । ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରି ନିଜ ଅକ୍ତିଆରକୁ ଆଣିବା ପାଇଁ ପ୍ରସ୍ତୁତି କରି ସାରିଛି । ହେଲେ ଏପଟେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ତାଇୱାନର ସମର୍ଥନରେ ବାହାରି ଚୀନକୁ ବ୍ୟାକଫୁଟକୁ ପଠାଇ ଦେଇଛି । ଏପରି ସ୍ଥିତିରେ ଆଗାମୀ ଦିନରେ ଯୁଦ୍ଧ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।