୧୦ ଦିନ ଭିତରେ ଆସିପାରେ ପିସିସି ସଭାପତିଙ୍କ ନାଁ !

ଭୁବନେଶ୍ବର: ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପରେ ଜୋର ଧରିଲା ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଚିନ୍ତା । ୧୦ ଦିନ ଭିତରେ ପିସିସି ସଭାପତିଙ୍କ ନାଁ ହାଇକମାଣ୍ଡ ଘୋଷଣା କରିବେ ବୋଲି କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକମାନେ ଆକଳନ କରିଛନ୍ତି । ସାଂଗଠନିକ ଦକ୍ଷତା ଓ ସମସ୍ତଙ୍କୁ ନେଇ ଚଳିପାରୁଥିବା ନେତା ହିଁ ପିସିସି ସଭାପତି ମୁକୁଟ ପିନ୍ଧିବେ । ଏଆଇସିସିର ୨ ଜଣ ପର୍ଯ୍ୟବେକ୍ଷକ ଓ ଓଡ଼ିଶା ନେତାଙ୍କ ମତାମତ ଅନୁସାରେ ହାଇକମାଣ୍ଡ ନୂଆ ସଭାପତିଙ୍କ ନାଁ ଘୋଷଣା କରିବେ ବୋଲି ଆଶା କରିଛି କଂଗ୍ରେସ ।

ନଭେମ୍ବର ୪ ତାରିଖରେ ଏଆଇସିସିର ଦୁଇ ଜଣ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଓଡ଼ିଶା ଆସି କିଏ ହେବ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ପ୍ରକ୍ରିୟା ଆରମ୍ଭ କଲେ । କଂଗ୍ରେସର ୨୧ ଜଣ ଷ୍ଟିୟରିଂ କମିଟି ସଦସ୍ୟ, ବିଧାୟକ, ସାଂସଦ, ଓ ଜିଲ୍ଲାସଭାପତିମାନଙ୍କ ସହ ବୈଠକ କରି କାହାକୁ ପିସିସି ସଭାପତି କରାଯିବ ସେନେଇ ମତାମତ ନେଲେ । ୫ ମାସ ଧରି ମଙ୍ଗୁଆଳ ଶୂନ୍ୟ ଥିବା ଓଡ଼ିଶା କଂଗ୍ରେସକୁ କିଏ ସଞ୍ଜୀବନୀ ଦେଇ ପାରିବ ସେ ନେଇ କସରତ ଆରମ୍ଭ କଲେ । ପୂର୍ବ ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତି କିଏ ହେବ ସେ ନେଇ ଚର୍ଚ୍ଚା ଜୋରଦାର ହୋଇଛି ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ୧୦ ଦିନ ଭିତରେ ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ । ସଂଗଠନକୁ ଚଳଚଞ୍ଚଳ କରି ପାରୁଥିବା ଜଣେ ଦକ୍ଷ ନେତାଙ୍କୁ ଦଳ ପିସିସି ସଭାପତିର ଗୁରୁ ଦାୟିତ୍ବ ଦେବାକୁ ଚୂଡ଼ାନ୍ତ କରିଥିବା କାଡ଼ାମ କହିଛନ୍ତି । ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ସବୁ କଥାକୁ ବିଚାର କରି ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଖୁବଶୀଘ୍ର ଘୋଷଣା କରିବେ । ଓଡ଼ିଶା ସଂଗଠନକୁ ମଜଭୁତ କରିବା ପାଇଁ ହାଇକମାଣ୍ଡ ଫୋକସ କରିଛନ୍ତି ବୋଲି ଜୟଦେବ କହିଛନ୍ତି ।

ପିସିସି ସଭାପତି ଚୟନ ଚୂଡ଼ାନ୍ତ ତାଲିକାରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ ଓ ଭକ୍ତ ଚରଣ ଦାସଙ୍କ ନାଁ ଚର୍ଚ୍ଚାରେ ରହିଛି । କଂଗ୍ରେସର ଯୁବ ବିଧାୟକ ସାଗର ଦାସଙ୍କ ଯୁକ୍ତି ହେଉଛି ପିସିସି ସଭାପତି ନଥିବାରୁ କଂଗ୍ରେସର ବହୁତ କ୍ଷତି ହେଉଛି । ତେଣୁ ହାଇକମାଣ୍ଡ ଖୁବଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି । ନୂଆ ନା ପୁରୁଣା ନେତା କାହାକୁ ହାଇକମାଣ୍ଡ ଭରସା କରିବେ । ତାହାକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ହିସାବକିତାବ ।