ଆମ ଓଡ଼ିଶା, ନବୀନ ଓଡ଼ିଶାର ନାଁ ବଦଳାଇଲା ‘ନାଁ ବଦଳା ସରକାର’

ଭୁବନେଶ୍ବର: ଯୋଜନା ବଦଳା ସରକାରରେ ବଦଳିଲା ଆଉ ଏକ ଯୋଜନାର ନାଁ । ଆମ ଓଡ଼ିଶା, ନବୀନ ଓଡ଼ିଶା ହେଲା ବିକଶିତ ଗାଁ, ବିକଶିତ ଓଡ଼ିଶା । ଯାହାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି । ବିଜେଡି କହିଛି ନାଁ ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା । ହେଲେ ଏଥିରେ ଲୋକଙ୍କର କୌଣସି ଉନ୍ନତି ହେଉନାହିଁ । କଂଗ୍ରେସ ମଧ୍ଯ ରାଜ୍ଯ ସରକାରଙ୍କ ଆଭିମୁଖ୍ଯକୁ ନେଇ ପ୍ରବଳ ବର୍ଷିଛି ।

ପ୍ରଥମେ ଲକ୍ଷ୍ମୀ । ବଜେଟରେ ବିଏସକେୱାଇ, କାଳିଆ, ମୋ ସ୍କୁଲ ଏମିତି କେତେ କ’ଣ । ଆଉ ଏବେ ଆମ ଓଡ଼ିଶା, ନବୀନ ଓଡ଼ିଶା । ନବୀନ ସରକାରଙ୍କ ଜନକଲ୍ଯାଣକାରୀ ଯୋଜନାର ନାଁ ବଦଳାଇବାରେ ବ୍ଯସ୍ତ ରାଜ୍ଯ ସରକାର । ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ନବୀନ କରିଥିବା ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ନାଁ ବଦଳି ହୋଇଛି ବିକଶିତ ଗାଁ, ବିକଶିତ ଓଡ଼ିଶା । ଏ ବାବଦରେ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି । ଶୀଘ୍ର ନୂଆ ଯୋଜନା ଅନୁସାରେ କାମ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ଯାହାକୁ ନେଇ ଜୋରଦାର ହୋଇଛି ରାଜନୀତି । ବିଜେଡି କହିଛି, ଯୋଜନାର ନାଁ ବଦଳୁଛି, ହେଲେ ରାଜ୍ଯରେ ଉନ୍ନୟନ କାମ ଠପ୍ ହୋଇ ରହିଛି । ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା ପାଲଟିଛି ।

ନୂଆ ସରକାର ଗଠନ ହେବା ପରେ ଗାଁ ଗଣ୍ଡାରେ ଉନ୍ନୟନ ମୂଳକ କାମ ବନ୍ଦ ରହିଛି । ହେଲେ ଯୋଜନାର ନାମ ବଦଳାଇ ବିଜେପି ସରକାର କେବଳ ମାଇଲେଜ ନେବାକୁ ଚାହୁଁଛି । ସରକାରଙ୍କ ଏଭଳି ନାଁ ଓ ରଙ୍ଗ ବଦଳା ରାଜନୀତିକୁ ନେଇ କଂଗ୍ରେସ ବି ଖୁବ୍ ବର୍ଷିଛି । ଏହାକୁ ନାପସନ୍ଦ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ବିଜେପି ସରକାର କେବଳ ନେମ୍ ଚେଞ୍ଜର, ଗେମ୍ ଚେଞ୍ଜର ନୁହେଁ । ଖାଲି ନାଁ ବଦଳାଇ ବାହାବା ନେବାକୁ ବିଜେପିର ପ୍ରୟାସକୁ ରାଜନୈତିକ ବିଶେଷଜ୍ଞ ମଧ୍ଯ ସମାଲୋଚନା କରିଛନ୍ତି ।

ନବୀନ ସରକାର ଅମଳର ବିଭିନ୍ନ ଯୋଜନାର ନାମ ବଦଳାଇ ବିଜେପି ସରକାର ବାହାବା ନେବାକୁ ଚେଷ୍ଟା କରୁଛି । ଲକ୍ଷ୍ମୀ ବସ ହେଉ କି ଓମଫେଡ଼ ପ୍ୟାକେଟର ରଙ୍ଗ, ପୁଣି ସରକାରୀ କୋଠାର ରଙ୍ଗ ବି ଦଳୀୟ ରଙ୍ଗରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବିଜେପିର ଏଭଳି ଅସୂୟା ଭାବକୁ ସବୁଠି ସମାଲୋଚନା କରାଯାଇଛି ।