ହରିୟାଣାରେ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂହ ସୈନି

ଚଣ୍ଡିଗଡ: ଆଜି ହରିୟାଣାରେ ଗଠନ ହେବ ନୂଆ ସରକାର। ନାଏବ ସିଂହ ସୈନି ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସୈନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ଅଛି।

ଏପରିକି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବି ଯୋଗ ଦେବେ। ଗତ ମାର୍ଚ୍ଚରେ, ନିର୍ବାଚନର ୬ ମାସ ଆଗରୁ ବିଜେପି ମନୋହରଲାଲ ଖଟ୍ଟରଙ୍କୁ ହଟାଇ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ପ୍ରବଳ ସରକାର ବିରୋଧୀ ହାୱା ସତ୍ତ୍ଵେ ଦଳକୁ ପୁଣି ଥରେ କ୍ଷମତାସୀନ କରାଇଥିବାରୁ ସୈନିଙ୍କୁ ପୁରସ୍କାର ଭାବେ ମୁଖ୍ୟମନ୍ତ୍ରୀ କରାଯାଉଥିବାର ଚର୍ଚ୍ଚା ହେଉଛି। ସୈନିଙ୍କ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୧୪ ଜଣ ମନ୍ତ୍ରୀ ରହିବେ।

ଚର୍ଚ୍ଚା ହେଉଛି ଏଥି ମଧ୍ୟରୁ ୧୧ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। ତା ଛଡ଼ା ଜାତି ଗତ ସମୀକରଣ ମଧ୍ୟ ଦେଖିବାକୁ ପଡ଼ିବ। ପ୍ରବଳ ସରକାର ବିରୋଧୀ ହାୱା ସତ୍ତ୍ଵେ ଓ ଏକଜିଟ୍ ପୋଲରେ ବିଜେପିର ନିଶ୍ଚିତ ପରାଜୟର ପୂର୍ବାନୁମାନ ସତ୍ତ୍ଵେ କ୍ଷମତାକୁ ପୁୁଣି ଫେରିଛି ବିଜେପି। ୯୦ ଆସନରୁ ୪୮ଟି ଜିତି ଲଗାତର ତୃତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିଛି, ଯାହାକି ପୂର୍ବରୁ କେବେ ହୋଇନଥିଲା। କଂଗ୍ରେସକୁ ୩୭ଟି ଆସନ ମିଳିଛି।