ମାଆ ରାମଚଣ୍ଡୀଙ୍କ ଷୋଡଶ ଉପଚାର ପୂଜା: ମାଆଙ୍କ ପ୍ରିୟ ପୋଡ଼ା ମାଛ

ନନ୍ଦିଘୋଷ ବ୍ୟୁରୋ: ପାର୍ବଣରେ ନିଆରା ପରମ୍ପରା । କୋଣାର୍କର ମାଆ ରାମଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା । ପୀଠରେ ମାଆଙ୍କୁ ସନ୍ତୁଷ୍ଟି ପାଇଁ ଦିଆଗଲା ପୋଡା ମାଛ ବଳି । ପ୍ରତିଦିନ ଦୁଇ ବେଳା ଚାଲିଛି ଚଣ୍ଡୀପାଠ । ମାଆ କେତେବେଳେ ବନଦୁର୍ଗା ବେଶରେ ତ କେତେବେଳେ ବଗଳାମୁଖୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ ।
ପାର୍ବଣରେ ଚଳଚଞ୍ଚଳ ପୁରୀ କୋଣାର୍କ ବେଳାମାର୍ଗ କୁଶଭଦ୍ରା ନଦୀ ମୁହାଣ ନିକଟରେ ଅବସ୍ଥିତ ମାଆ ରାମଚଣ୍ଡୀଙ୍କ ପୀଠ । ଲାଗୁଛି ଭକ୍ତଙ୍କ ଗହଳି । ଚଣ୍ଡୀପାଠ ସାଙ୍ଗକୁ ଘଣ୍ଟଘଣ୍ଟାରେ କମ୍ପୁଛି ପରିବେଶ । ରାମଚଣ୍ଡୀ ହେଉଛନ୍ତି ଦଶଭୁଜା ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ମାଆଙ୍କ ନିକଟରେ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବିଶେଷ ପୂଜା ନୀତି ଅନୁଷ୍ଠିତ ହୋଇଥାଏ । ବର୍ତ୍ତମାନ ମାଆଙ୍କ ନିକଟରେ ପୋଡା ମାଛ ବଳି ସାଙ୍ଗକୁ ଦୁଇ ବେଳା ଚଣ୍ଡୀପାଠ ହେଉଛି । ଯାହା ଅନ୍ୟ କୌଣସି ଶକ୍ତିପୀଠରେ ହୋଇ ନଥାଏ ।
କୁହାଯାଏ କଳାପାହାଡ କୋଣାର୍କ ମନ୍ଦିର ଆକ୍ରମଣ କରିବା ବେଳେ ମାଆ ରାମଚଣ୍ଡୀ ମାଲୁଣୀ ବେଶରେ ମନ୍ଦିରରୁ ପାଣି ଆଣିବା ପାଇଁ କୁଶଭଦ୍ରା ନଦୀକୁ ଯାଇ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ପଣ୍ଡାମାନେ ସ୍ଵପ୍ନାଦେଶ ପାଇ କୁଶଭଦ୍ରା ନଦୀ କୂଳରେ ମାଆଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି । ମାଆଙ୍କ ପୀଠ ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ଖ୍ୟାତି ଲାଭ କରିଛି । ମାଆଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ । ସକାଳ ମଙ୍ଗଳ ଆଳତୀ ଓ ରାତିରେ ବଡସିଂହାର ଧୂପ ଆଳତୀକୁ ମିଶାଇ ମାଆଙ୍କ ନିକଟରେ ୫ ଥର ଆଳତୀ ହୁଏ ।