ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିରେ ମହାଦୁର୍ନୀତି
1 min read
ନବରଙ୍ଗପୁର : ବିଜେପି ସରକାରରେ ସାମ୍ନାକୁ ଆସିଲା ଚାଷୀ ମାରଣ ନୀତି । ନୂଆ ସରକାର ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସହାୟତା ଦେବାକୁ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଦୁର୍ନୀତିର କଳାକାହାଣୀ । ପୂର୍ବ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୧୨ ଲକ୍ଷ ୬୦ ହଜାର କ୍ଵିଣ୍ଟାଲ ଧାନ କିଣା ହୋଇଥିବା ବେଳେ ଚଳିତ ବର୍ଷ ତାହା ଦୁଇଗୁଣରୁ ଅଧିକ ଅର୍ଥାତ ୨୫ ଲକ୍ଷ ୭୮ ହଜାର କ୍ଵିଣ୍ଟାଲ କେମିତି ହେଲା ? ଚାଷୀମାନେ କେମିତି ଅଧିକରୁ ଅଧିକ ପଞ୍ଜୀକରଣ କଲେ ? ତାକୁ ନେଇ ପ୍ରଶ୍ନ କରିଛି ବିଜେଡି । ଅନ୍ୟପଟେ ଜିଲ୍ଲାରେ ୨୫ ଲକ୍ଷ କ୍ଵିଣ୍ଟାଲ ଧାନ ଗଚ୍ଛିତ କରିବା ପାଇଁ କେଉଁଠି ଏତେ ବଡ ଗୋଦାମ ରହିଛି ? ସରକାର କେଉଁ ମିଲରଙ୍କୁ କେତେ ଧାନ ଗଚ୍ଛିତ କରିବାକୁ ନୋଟିସ ଦେଇଛନ୍ତି ଓ ତାହାର ତଦନ୍ତ କରିବାକୁ ଦାବି କରିବା ସହ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି ନବରଙ୍ଗପୁର ଜିଲ୍ଲା ବିଜେଡି । ଏଥିସହ ଏହି ଦୁର୍ନୀତିରେ ଲ୍ଯାମ୍ପ ଏମଡିମାନେ ଜଡିତ ରହିଥିବା ବେଳେ DRCS, ARCS ମାନେ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛି ଜିଲ୍ଲା ବିଜେଡି ।
ନବରଙ୍ଗପୁର ଜିଲ୍ଲାରେ ୪ ଗୋଟି ଲ୍ୟାମ୍ପ ରାଇଘର, କୋଡ଼ିଙ୍ଗା, ମୈଦଲପୁର ଓ ପାପଡାହାଣ୍ଡି ଲ୍ୟାମ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସରକାରଙ୍କ ପକ୍ଷରୁ ଧାନ କିଣିବା ପାଇଁ ନିୟୋଜିତ ସଂସ୍ଥାର ଅଧିକାରୀ ମାନେ କେମିତି ଦୁର୍ନୀତି କରି ମାଲାମାଲ ହେଉଛନ୍ତି ତାହା ତଦନ୍ତ କରିବାକୁ ଦାବି ଜୋର ଧରିଛି । ରାଇଘର ଲ୍ୟାମ୍ପ ଏମଡି କିଭଳି ପ୍ରଶାସନକୁ ମଣ୍ଡିର ଶେଷ ଦିନରେ ସରକାରଙ୍କୁ ଟାର୍ଗେଟ ବଢେଇବା ଓ ନିର୍ଦ୍ଦିଷ୍ଟ କିଛି ମିଲକୁ ଟାର୍ଗେଟ ଦେବା ପାଇଁ ଚିଠି କରୁଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ନିୟମ ଅନୁସାରେ ମାର୍ଚ୍ଚ ୩୧ ତାରିଖ ଦିନ ମଣ୍ଡି ଶେଷ ହେବାକୁ ଥିବାବେଳେ ସେ ୩୧ ତାରିଖରେ ଚିଠି ଲେଖିଛନ୍ତି ଯାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ରାଇଘର ବ୍ଲକର ୩୪୪ ଜଣ ଚାଷୀଙ୍କ ୧୪ ହଜାର ୨ ଶହ କ୍ଵିଣ୍ଟାଲ ଧାନର ପ୍ରାପ୍ଯ ମିଳିନାହିଁ । ସମିତି ବା ଲ୍ୟାମ୍ପ ଗୁଡିକ RTI ପରିସର ମଧ୍ୟରେ ଆସୁନଥିବାରୁ ସେମାନେ ଖୋଲାଖୋଲି ଦୁର୍ନୀତି କରିଚାଲିଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଧାନ ମଣ୍ଡିରେ ହୋଇଥିବା ମହାଦୁର୍ନୀତିର ଖୁଲାସା କେବେ କରାଯିବ ? ଟଙ୍କା ପାଇନଥିବା ୩୪୪ ଜଣଙ୍କୁ ତାଙ୍କ ପ୍ରାପ୍ଯ କେବେ ମିଳିବ ? ତା ସହ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।