ସ୍ୱପ୍ନାଦେଶ ପରେ ଜଙ୍ଗଲରେ ତପସ୍ୟାରତ ମହିଳା, ପୂଜାର୍ଚ୍ଚନା ପାଇଁ ଲୋକଙ୍କ ଭିଡ଼

ନବରଙ୍ଗପୁର: ନିର୍ଜନ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ବିଶ୍ୱାସର ଲଢ଼େଇ । ସ୍ବପ୍ନାଦେଶ ପରେ ଭଗବାନଙ୍କ କୃପା ପାଇବା ପାଇଁ ତିନି ଦିନ ହେଲା ଜଙ୍ଗଲରେ ତପସ୍ୟାରତ ଅଛନ୍ତି ଜଣେ ମହିଳା । ନା କିଛି ଖାଉଛନ୍ତି ନା କାହା ସହ କଥା ହେଉଛନ୍ତି, ନିମଗ୍ନ ତପସ୍ୟାରେ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଧାମନାପଦର ଗାଁ ନିକଟ ବାହାଲି ଜଙ୍ଗଲରେ ତପସ୍ୟା କରୁଛନ୍ତି ବାଲମତି ହରିଜନ ।

 Nabarangpur Woman Penance In Forest

ଜଙ୍ଗଲୀ ପଶୁପକ୍ଷୀଙ୍କ ଭୟକୁ ବେଖାତିର୍ କରି ବାଲିମତି ଭଗବତ୍ ବିଶ୍ୱାସକୁ ଆଦରି ନେଇଛନ୍ତି । ତପସ୍ୟା ଖବର ପ୍ରଚାରିତ ହେବା ପରେ ମହିଳାଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ରାତିର ଗହନ ନିଦରେ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ବାଲମତିଙ୍କ ତପସ୍ୟା ତିନିଦିନ ହେବ ଜାରି ରହିଛି । ଜଙ୍ଗଲ ମଧ୍ୟରେ ରାତିରେ ମହିଳାଙ୍କ ସ୍ୱାମୀ ସହ କିଛି ଗ୍ରାମବାସୀ ଜଗି ରହୁଛନ୍ତି ।

 Nabarangpur Woman Penance In Forest

ପାପଡ଼ାହାଣ୍ଡି ନିକଟସ୍ଥ ଦଳେଇଗୁଡ଼ା ଗାଁର ସିଙ୍ଗି ହରିଜନ ଗାଈ ଚରାଉ ଥିବାବେଳେ ଝଡ଼ାଫୁଙ୍କା କରି ପରିବାର ଚଳାଇଥାନ୍ତି ପତ୍ନୀ ବାଲମତି ହରିଜନ । ଉଭୟ ଅଲେଖ ମହିମା ଧର୍ମ ଗ୍ରହଣ କରିଛନ୍ତି । ଗତ ଶନିବାର ରାତିରେ ସମସ୍ତେ ଶୋଇଥିବା ବେଳେ କାହାରିକୁ କିଛି ନକହି ଘରୁ ବାହାରି ଯାଇଥିଲେ ସ୍ତ୍ରୀ ବାଲମତି ହରିଜନ । ସକାଳ ହେବା ପରେ ବାଲମତି ଘରେ ନଥିବା ଦେଖି ସ୍ୱାମୀ ସିଙ୍ଗି ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ଧାମନାପଦର ଗାଁଠାରୁ କିଛି ଦୂରରେ ଥିବା ବାହାଲି ଜଙ୍ଗଲର ଏକ ଛୋଟିଆ ପାହାଡ଼ରେ ତପସ୍ୟାରତ ଅବସ୍ଥାରେ ବସିଥିବା ଦେଖିବାକୁ ପାଇଥିଲେ ।

 Nabarangpur Woman Penance In Forest

ଜଙ୍ଗଲକୁ ଯାଇ ତପସ୍ୟା କଲେ ଭଗବାନଙ୍କ କୃପା ମିଳିବ ବୋଲି ସ୍ୱପ୍ନାଦେଶ ହୋଇଥିବା କହିଛନ୍ତି ବାଲମତି । ତିନି ଦିନ ‌ହେଲା ବାଲମତି ଦୁଇ ଚାମଚ କ୍ଷୀର ପିଉଥିବା ବେଳେ ଭୋର ପ୍ରାୟ ୪ ଟାରେ ଗାଧୋଇବାକୁ ଯାଉଛନ୍ତି । ସେ ତିନି ଦିନ ହେଲା କାହା ସହ କଥା ହୋଇ ନାହାନ୍ତି । ବାଲମତି ତପସ୍ୟାରତ ଥିବା ବେଳେ ଲୋକେ ତାଙ୍କ ନିକଟରେ ନଡ଼ିଆ ଓ କଦଳୀ ଭୋଗ ଲଗାଇବା ସହ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ‌ଲୋକ ଟଙ୍କା ମଧ୍ୟ ଦାନ କରୁଛନ୍ତି । ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଥିବା ବେଳେ ଭଗବତ୍ ଆରାଧନା କରୁଥିବା ବାଲମତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ଘଞ୍ଚ ଜଙ୍ଗଲରେ ଭଗବତ୍ ଆରାଧନା, ଅଖିଆ ଅପିଆ ତପସ୍ୟା କରୁଛନ୍ତି ନିରାବତୀ

Leave a Reply