ଅବକାରୀ କନେଷ୍ଟବଳଙ୍କ ଶିକ୍ଷାଦାନ ନିଶା: ମାଗଣା ପାଠ ପଢ଼ାଇ ପାଲଟିଛନ୍ତି ଉଦାହରଣ

ନବରଙ୍ଗପୁର: ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ପେଶା ଅବକାରୀ କନେଷ୍ଟବଳ ହେଲେ ନିଶା ଶିକ୍ଷାଦାନ । ଆଦିବାସୀ ଗରିବ ପିଲାଙ୍କୁ ମାଗଣା ପାଠ ପଢ଼ାଇ ପ୍ରଶଂସା ସାଉଁଟୁଛନ୍ତି ନବରଙ୍ଗପୁର ଜିଲ୍ଲା କର୍ଚ୍ଚାମାଲ ଗାଁର ଦେବେନ୍ଦ୍ର ସମରଥ । ପୂର୍ବରୁ ନିଜେ ପାଠ ପଢିବାକୁ ଦେବେନ୍ଦ୍ର ଅନେକ ସମସ୍ୟାର ସାମ୍ନା କରିଥିବାବେଳେ ଏବେ ଅନ୍ୟମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସେ ପଣ କରିଛନ୍ତି ।

ପ୍ରତିକୂଳ ପରିସ୍ଥିତିରୁ ସେବା କରିବାର ପ୍ରେରଣା । ଆଦିବାସୀ ଇଲାକାରେ ପିଲାଙ୍କୁ ଶିକ୍ଷିତ କରିବାର ପ୍ରୟାସ । ଇଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କର୍ଚ୍ଚାମାଲ ଗାଁର ଦେବେନ୍ଦ୍ର ସମରଥ । ପେଶା ଅବକାରୀ କନେଷ୍ଟବଳ ହେଲେ ନିଶା ପିଲାଙ୍କୁ ପାଠ ପଢାଇବା । ଚାକିରି ଜୀବନରୁ ସମୟ ବାହାର କରି ଗାଁ ଗହଳିର ପିଲାଙ୍କୁ ମାଗଣା ପାଠ ପଢ଼ାଉଛନ୍ତି ଦେବେନ୍ଦ୍ର । ପ୍ରାୟ ୬୦ରୁ ଅଧିକ ପିଲାଙ୍କୁ ଶିକ୍ଷାଦାନ କରିବା ସହିତ ଆବଶ୍ୟକ ପାଠ୍ୟ ଉପକରଣ ମଧ୍ୟ ଯୋଗାଇଦେଉଛନ୍ତି ।

ପୂର୍ବରୁ ଆର୍ଥିକ ଅନଟନ କାରଣରୁ ପାଠ ପଢିବାରେ ଅନେକ ଅସୁବିଧାର ସାମ୍ନା କରିଥିଲେ ଦେବେନ୍ଦ୍ର । ପ୍ରତିକୂଳ ପରିସ୍ଥିତିରେ ପାଠ ପଢି ପରେ ଅବକାରୀ କନେଷ୍ଟବଳ ଭାବରେ ନିଯୁକ୍ତି ପାଇଛନ୍ତି । ହେଲେ ନିଜେ ସାମ୍ନା କରିଥିବା ଅସୁବିଧା ଯେପରି ଆଉ କେହି ନଭୋଗନ୍ତୁ ସେଥିପାଇଁ ସେ ଆଗେଇ ଆସିଛନ୍ତି । ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବାକୁ ପଣ କରି ନିଜ ଦରମାରୁ ଖର୍ଚ୍ଚ କରି ନିଶୁଳ୍କ ଶିକ୍ଷାଦାନ ଜାରି ରଖିଛନ୍ତି ।

କରୋନା କାରଣରୁ ଦୀର୍ଘ ଦେଢ ବର୍ଷ ଧରି ସ୍କୁଲ ବନ୍ଦ ରହିଥିଲା । ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲେ ଦେବେନ୍ଦ୍ର । ପିଲାଙ୍କ ଭବିଷ୍ୟତ ପାଇଁ ଦେବେନ୍ଦ୍ରଙ୍କ ନିଆରା ପ୍ରୟାସକୁ ଅଭିଭାବକ ମାନେମଧ୍ୟ ପ୍ରଶଂସା କରିଛନ୍ତି ।

Leave a Reply