ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍‌

1 min read

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ବାବୁ । ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ । ଏହି କୋଟିପତି ବାବୁ ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ହୋଇଛି ଟେରା । ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର କାନନ ବିହାର HIG-115ରେ ରହିଛି ଦୁଇମହଲା କୋଠା । ଭୁବନେଶ୍ବର ଘରୁ ୬ ପେଟି ଟଙ୍କା ଜବତ ହୋଇଛି । ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି ।

ରେଡର ସୂଚନା ପାଇ ପ୍ରଶାନ୍ତ ତାଙ୍କ ଘରେ ଥିବା ଟଙ୍କା ପେଟିଗୁଡିକୁ ପଡୋଶୀ ଘରକୁ ଫୋପାଡି ଦେଇଥିଲେ । ପଡୋଶୀ ଏହି ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିବା ସୂଚନା ମିଳିଛି । ତାଙ୍କ ଘରୁ ବହୁପରିମାଣର ୫୦୦ ଟଙ୍କିଆ ବିଡ଼ା, ରୁପା, ସୁନା ଅଳଙ୍କାର ଜବତ ହୋଇଛି । ନବରଙ୍ଗପୁରରେ ଥିବା ଘର, ଅଫିସ ଚାମ୍ବରରେ ଚାଲିଛି ରେଡ୍ । ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ ଚାଲିଛି ରେଡ୍ । ରେଡ୍‌ରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି ଓ ୮ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି । ପୂର୍ବରୁ ମଧ୍ୟ ସୁନ୍ଦରଗଡ଼ ବିଶ୍ରାରେ ବିଡିଓ ଥିବାବେଳେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ।