ବାଣ ବଦଳରେ ଜଳିବ ଦୀପ, ଦୀପାବଳି ପାଇଁ ବ୍ୟସ୍ତ କାରିଗର

ନବରଙ୍ଗପୁର: ବାଣ ବଦଳରେ ଜଳିବ ଦୀପ । ସାରା ଦେଶରେ ଦୀପାବଳିରେ ଫୁଟିବନି ଘାତକ ବାଣ । ସୁପ୍ରିମକୋର୍ଟଙ୍କ କଟକଣା ପରେ ଏବେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟବାସୀ । ଏନେଇ ଚଳଚଞ୍ଚଳ ହୋଇପଡିଛି ଦୀପ କାରବାର । ବାଣ ବଦଳରେ ଦୀପ ଜାଳି ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ବାସିନ୍ଦା । ହେଲେ ପ୍ରୋତ୍ସାହନ ଓ ବିକ୍ରି ବଟାରେ ଅସୁବିଧା ପାଇଁ ସମସ୍ୟାରେ ପଡୁଛନ୍ତି ଦୀପ କାରିଗର ।

ଚଳିତ  ବର୍ଷ ଦୀପମୟ ହେବ ଦୀପାବଳି  । ଫ୍ରେଣ୍ଡଲି ଦୀପାବଳି ପାଳନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ବାସିନ୍ଦା ।  ଫଳରେ ବଢିଛି ମାଟି ଦୀପର ଚାହିଦା । ଚଳଚଞ୍ଚଳ ହୋଇଉଠୁଛି ଦୀପ କାରାବାର। ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡା ଗାଁର କୁମ୍ଭାର ଶାଳରେ ଜମୁଛି ବ୍ୟବସାୟୀଙ୍କ ଗହଳି । ଚଳିତ ବର୍ଷ ଦୀପାବଳିରେ ଦୀପର ଚାହିଦା ବୃଦ୍ଧି ଯୋଗୁ ଦୀପ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଇଛନ୍ତି କୁମ୍ଭାର । ଏହି ଗାଁର ଦୀପର ଚାହିଦା  ଜିଲ୍ଲା , ତଥା ପୋଡ଼ଶୀ କୋରାପୁଟ, କଳାହାଣ୍ଡି, ରାୟଗଡା, କଟକ, ଭୁବନେଶ୍ବର ସହିତ ପୋଡ଼ଶୀ ରାଜ୍ୟରେ ଅଧିକ ରହିଛି । କିଛି ବର୍ଷ ପୂର୍ବରୁ ଆଧୁନିକତାର ଛାପରେ ଦୀପର ସ୍ଥାନ ନେଇଥିଲା ଚାଇନା ଲାଇଟ । କିନ୍ତୁ ଲୋକେ ଧୀରେ ଧୀରେ ସଚେତନ ହୋଇ ପୁନର୍ବାର  ପାରମ୍ପରିକ ଦୀପ ଜଳାଇ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଦେଶରୁ ପଦୂଷଣ କମାଇବାକୁ ସୁପ୍ରିମ କୋର୍ଟଙ୍କ କଟକଣା ଯୋଗୁ ବି ଦୀପର ଚାହିଦା ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି କାରିଗର ।

ମାଟିକୁ ଜୀବନ୍ତ ରୂପ ଦେଉଥିବା ଏହି କୁମ୍ଭକାର ପରିବାର ଏବେ ନିଜ ବ୍ୟବସାୟକୁ ନେଇ ଚିନ୍ତାରେ ପଡିଛନ୍ତି । ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ କମଟଙ୍କାରେ ବ୍ୟବସାୟୀଙ୍କୁ ନିଜ ଦୀପ ବିକ୍ରି କରିବାକୁ ପଡୁଛି । ଏନେଇ ସ୍ଥାନୀୟ ପ୍ରଶାସନ ଦୀପ କାରିଗରଙ୍କ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି ।