ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ଗୋପାଳ: ଅରୁଣ ବୋଥ୍ରା

ଝାରସୁଗୁଡ଼ା: ଦୋଷ ସ୍ବୀକାର କଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହ ପାଇଁ ରିମାଣ୍ଡ ଆବେଦନ କରାଯିବ । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ବ୍ରଜରାଜନଗରରେ ଡେରା ପକାଇଛନ୍ତି । ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ବରେ ତଦନ୍ତ ଚାଲିଛି । ଆଜି ବ୍ରଜରାଜନଗରରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ତର୍ଜମା କରିଛି ଟିମ୍ ।

ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ସେଠାରୁ ପ୍ରମାଣ ସଂଗ୍ରହ କରାଯାଇଛି । ଗୁଳିମାଡ଼ରେ ବ୍ୟବହାର ହୋଇଥିବା ୯ଏମଏମ ପିସ୍ତଲ, ତିନୋଟି ଗୁଳି ଓ ଅଭିଯୁକ୍ତ ଗୋପାଳର ମୋବାଇଲ ଜବତ କରାଯାଇଛି । ଜବତ ମାରଣାସ୍ତ୍ରକୁ ଯାଞ୍ଚ ପାଇଁ ପଠାଯାଇଛି । ସେହିପରି ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍ ଭୁବନେଶ୍ବରରେ ତଦନ୍ତ କରିଛି । କ୍ୟାପିଟାଲ ହସପିଟାଲରେ ଅଟୋପସିର ସଂପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଚିକିତ୍ସା ରେକର୍ଡ ସହ ରକ୍ତଭିଜା ପୋଷାକକୁ ଜବତ କରିଛି । ସେହିପରି ଭିସେରା ସଂରକ୍ଷଣ କରାଯାଇଛି ।