ନାଟକର ଅପୂର୍ବ ସଫଳତା ପରେ ବଡ଼ ପରଦାରେ ଆସିବ ସିନେମା ’ନବକଳେବର’

ଭୁବନେଶ୍ବର: ନବକଳେବରକୁ ଚଳଚ୍ଚିତ୍ର ଭାବରେ ଦେଖିବାକୁ ପାଇବେ ଦର୍ଶକ । ନବକଳେବର ନାଟକର ଅପୂର୍ବ ସଫଳତା ପରେ ଏହାକୁ ସିନେମା ଭାବରେ ପ୍ରସ୍ତୁତି କରାଯିବ । ସାଇ ଶ୍ରଦ୍ଧା ପ୍ରଡକ୍ସନ ବ୍ୟାନରରେ ଶ୍ରୀଜଗନ୍ନାଥ ନବକଳେବର ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ । ନାଟକରୁ ଚଳଚିତ୍ରକୁ ରୂପାନ୍ତରିତ କରି ଆଉଥରେ ଜଗନ୍ନାଥଙ୍କ ମହିମା ଓ ଲୀଳା ପ୍ରଚାର ପ୍ରସାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ଏହି ଫିଲ୍ମ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଚଳଚ୍ଚିତ୍ର ନିର୍ମାଣ କାମ ନଭେମ୍ବର ଏକରୁ ଗୁଜୁରାଟରୁ ଶୁଭାରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।

ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିବେ ବିନି ସାମଲ ଓ ଦିଲ୍ଲୀପ ଜେନା । ସେହିପରି ବିନି ସାମଲ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଥିବାବେଳେ ଚିତ୍ରନାଟ୍ୟ, ସଂଳାପରେ ରହିଛନ୍ତି ଶଙ୍କର ତ୍ରିପାଠୀ ଓ ସଂଗୀତରେ ମଳୟ ମିଶ୍ର ରହିଛନ୍ତି । ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଅଶ୍ରୁମୋଚନ ମହାନ୍ତି, ଜ୍ୟୋତି, ଶିବାନୀ, ସୂର୍ଯ୍ୟମୟୀ, ରୁଷି ପଟ୍ଟନାୟକ, କେଦାର ମିଶ୍ର, ଦେବୁ ପଟ୍ଟନାୟକ, ବିନି ସାମଲ ରହିଛନ୍ତି  । ପୂର୍ବରୁ 2022 ମସିହାରେ ନଭେମ୍ବର 4ରୁ 9ତାରିଖ ମଧ୍ୟରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଓ ରାଉରକେଲାରେ ଫେବ୍ରୁଆରୀ 1 ଓ 2 ତାରିଖରେ ନବକଳେବର ନାଟକକୁ ଅପୂର୍ବ ସଫଳତା ମିଳିଥିଲା ବୋଲି ପ୍ରଯୋଜକ କହିଛନ୍ତି ।