ଆଜି ନବ ଦାସଙ୍କର ହେବ ଶେଷକୃତ୍ୟ, ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ରହିବେ ୩ ମନ୍ତ୍ରୀ

ଭୁବନେଶ୍ୱର: ଦିବଗଂତ ମନ୍ତ୍ରୀ ନବ କିଶୋର ଦାସଙ୍କର ଆଜି ହେବ ଶେଷକୃତ୍ୟ। ଭୁବନେଶ୍ବର ସରକାରୀ ବାସଭବନରେ ଶେଷ ଦର୍ଶନ ସହିତ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ନେତା । ପରେ ଝାରସୁଗୁଡ଼ା ଅଭିମୁଖେ ଯିବ ମରଶରୀର । ହେଲିକପ୍ଟରରେ ପାର୍ଥୀବ ଶରୀରକୁ ଝାରସୁଗୁଡ଼ା ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ଶେଷକୃତ୍ୟ । ମନ୍ତ୍ରୀଙ୍କ ବିୟୋଗରେ ରାଜ୍ୟବ୍ୟାପୀ ୩ ଦିନିଆ ଶୋକ ପାଳନ କରାଯିବ । ଆସନ୍ତାକାଲି ପର୍ଯ୍ୟନ୍ତ ଶୋକ ପାଳନ କରାଯିବ । ରାଜଧାନୀ ଭୁବନେଶ୍ବର ଓ ଝାରସୁଗୁଡ଼ାରେ ଅର୍ଦ୍ଧନମିତ ହେବ ଜାତୀୟ ପତାକା । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ୩ ମନ୍ତ୍ରୀ ଉପସ୍ଥିତ ରହିବେ । ସଂସଦୀୟ ବ୍ୟାପର, ଅର୍ଥ, କୃଷି, ବାଣିଜ୍ୟ ଓ ପରିବହନ, ଜଳ ସଂପଦ ମନ୍ତ୍ରୀ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିବେ ।

ଗୁଳିମାଡ଼ରେ ଗୁରୁତର ହୋଇ ଗତକାଲି ସନ୍ଧ୍ୟାରେ ରାଜଧାନୀର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଥିଲା । ତାଙ୍କ ବାମ ପଟ ଛାତିରେ ଗୁଳି ବାଜିଥିଲା । ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍ ଅପରେସନ୍ କରିଥିଲେ । ଗୁଳି ତାଙ୍କ ଛାତିରେ ବାଜି ପିଠି ଦେଇ ବାହାରକୁ ଚାଲି ଯାଇଥିଲା । ନବ କିଶୋର ଦାସଙ୍କ ହାର୍ଟ ଓ ବାମ ପଟ ଫୁସଫୁସରେ ଆଘାତ ସୃଷ୍ଟି ହୋଇଥିଲା । ଗୁଳିମାଡ଼ ଯୋଗୁଁ ପ୍ରବଳ ଅନ୍ତଃ ରକ୍ତସ୍ରାବ ହେଉଥିଲା । ଏଥିପାଇଁ ଜରୁରୀକାଳୀନ ଆଇସିୟୁ ଚିକିତ୍ସା ଦିଆଯାଇଥିଲା । ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବି ନବକିଶୋର ଦାସଙ୍କୁ ବଞ୍ଚାଇ ପାରିନଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୬୧ବର୍ଷ ବୟସରେ ନବକିଶୋର ଦାସଙ୍କ ପରଲୋକ ହୋଇଛି । ପରେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ବିଧାନସଭା ପରିସରକୁ ନିଆଯାଇଥିଲା ମରଶରୀର । ସେଠାରେ ସବୁ ଦଳର ନେତା ଓ ବିଧାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ନବ କିଶୋରଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା ମରଶରୀର । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ।