ନବ ଦାସ ହତ୍ୟା ମାମଲା: ଆଜି ଓଡ଼ିଶା ଫେରିବ ଅଭିଯୁକ୍ତ ଗୋପାଳକୃଷ୍ଣ

ଭୁବନେଶ୍ବର: ଆଜି ଗୁଜରାଟରୁ ଓଡ଼ିଶା ଆସିବ ନବ କିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ଗୋପାଳ ଝାରସୁଗୁଡ଼ା ଆସିବ । ଗତ ୮ ତାରିଖରେ ଅଭିଯୁକ୍ତକୁ ନେଇ ଗୁଜରାଟର ଗାନ୍ଧିନଗର ଯାଇଥିଲା କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ । ସେଠାରେ ତା’ର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇଛି । ନାର୍କୋ ଟେଷ୍ଟରେ ଅନେକ ଗୁମର ଖୋଲିଛି ଗୋପାଳ ।

କାହିଁକି ନବଙ୍କୁ ହତ୍ୟା କରିଥିଲା ଗୋପାଳ ? ହତ୍ୟା ପଛର କାରଣ କ’ଣ ? କେଉଁ କାରଣରୁ ନବଙ୍କ ଉପରେ ଥିଲା ରାଗ ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଛନ୍ତି ।

ସେପଟେ, ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଥିଲା ଗୋପାଳ । ପରୀକ୍ଷା ସମୟରେ ନିଶ୍ଚେତକ ଦିଆଯାଇଥିବାରୁ ଗୋପାଳ ବେହୋସ ଥିଲା । କିଛି ଘଣ୍ଟା ତାକୁ ଅବଜରଭେସନରେ ରଖାଯିବା ପରେ ତାର ଚେତା ଫେରିଥିଲା । ଅଭିଯୁକ୍ତର ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛନ୍ତି । ଗୋପାଳକୁ ତୃତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ । ଆସନ୍ତାକାଲି ସରୁଛି ରିମାଣ୍ଡ ଅବଧି ।