ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆ ପାଇଁ ଲଢୁଛନ୍ତି ଉତ୍ତରକୋରିଆ ସୈନ୍ଯ

ନନ୍ଦିଘୋଷ ବ୍ୟୁରୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆ ପକ୍ଷରେ ସାମିଲ ଉତ୍ତରକୋରିଆ ସୈନ୍ୟ । ରୁଷିଆ ଓ ଉତ୍ତରକୋରିଆ ମଧ୍ଯରେ ପାରସ୍ପରିକ ବୁଝାମଣା ଉତ୍ତମ ଥିବାବେଳେ ସୈନ୍ୟ କ୍ଷେତ୍ରରେ ସହଯୋଗ ନେଇ ସୂଚନା ମିଳିଛି । ଏସମ୍ପର୍କରେ ଅଭିଯୋଗ କରିଛି ଦକ୍ଷିଣ କୋରିଆ । ଦୁଇ ଦେଶ ମଧ୍ଯରେ ଯୁଦ୍ଧ ଚାଲିଥିବାବେଳେ କୌଣସି ତୃତୀୟ ପକ୍ଷର ସିଧାସଳଖ ସହଯୋଗକୁ ନେଇ ଏବେ ଉଠିଛି ପ୍ରଶ୍ନ । ଯଦି ଉତ୍ତରକୋରିଆର ଅଭିଯୋଗ ସତ୍ଯ ହୋଇଥାଏ ତେବେ ଏହାକୁ ନେଇ ପାଶ୍ଚାତ୍ଯ ରାଷ୍ଟ୍ର ଓ ଉତ୍ତରକୋରିଆ ମଧ୍ଯରେ ଉତ୍ତେଜନା ଅଧିକ ଉଗ୍ର ହେବା ଆଶଙ୍କା ରହିଛି । ଉତ୍ତରକୋରିଆର ୧୦ ହଜାର ସୈନ୍ୟ ରୁଷୀୟ ବାହିନୀରେ ଯୋଗଦେବାକୁ ଯାଉଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୂଚନା ଦେବା ପରେ ଏନେଇ ଆଶଙ୍କା ବ୍ଯକ୍ତ କରିଛି ଦକ୍ଷିଣ କୋରିଆ । ନ୍ଯାସନାଲ ଇଣ୍ଟେଲିଜେନ୍ସ ସର୍ଭିସ ପକ୍ଷରୁ କୁହାଯାଇଛି ଅକ୍ଟୋବର ଦ୍ବିତୀୟ ସପ୍ତାହରେ ରୁଷିଆର ନୌସେନା ଜାହାଜରେ ୧୫ଶହରୁ ଅଧିକ ଉତ୍ତରକୋରିଆ ସୈନ୍ଯଙ୍କୁ ଭ୍ଲାଦିଭୋସ୍ତକକୁ ପଠାଇଛି । ପରେ ଅଧିକ ସୈନ୍ୟଙ୍କୁ ପଠାଇବା ଲାଗି ରୁଷିଆ ଯୋଜନା କରୁଥିବା କୁହାଯାଇଛି । ସେହି ସୈନ୍ଯଙ୍କୁ ରୁଷିଆ ସୈନ୍ଯଙ୍କ ପୋଷାକ ଓ ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯାଇଛି । ଉତ୍ତରକୋରିଆ ନିକଟରେ ୧୨ ଲକ୍ଷ ସୈନ୍ଯ ରହିଛନ୍ତି । ସେପଟେ ପେଣ୍ଟାଗନ ପ୍ରେସ ସଚିବ ମେଜର ଜେନେରାଲ ପାଟ୍ ରେଡନ ଏହି ରିପୋର୍ଟକୁ ସମର୍ଥନ ବା ବିରୋଧ କରିନାହାନ୍ତି । ତେଣେ ୟୁଏଇର ମଧ୍ଯସ୍ଥି କ୍ରମେ ରୁଷିଆ ଓ ୟୁକ୍ରେନ ମଧ୍ଯରେ ୯୫ ଜଣ ଲେଖାଏଁ ବନ୍ଦୀଙ୍କୁ ଅଦଳବଦଳ କରାଯାଇଛି ।