ଖୋଲୁଛି ବିଜେପି ନେତ୍ରୀ ସୋନାଲିଙ୍କ ମୃତ୍ୟୁ ରହସ୍ୟ

ଗୋଆ: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁକୁ ନେଇ ଆସିବାରେ ଲାଗିଛି ସତ । ସୋନାଲିଙ୍କ ଦୁଇ ସହଯୋଗୀ ତାଙ୍କୁ ଏମଡିଏମଏ ମିଶ୍ରିତ ପାଣି ପିଇବାକୁ ଦେବାରୁ ସୋନାଲିଙ୍କ ମୃତ୍ୟୁ ଘଟିଥିବା ନେଇ କହିଛି ଗୋଆ ପୋଲିସ । ଗୋଆର ଏକ ନାଇଟ କ୍ଲବ ତଥା ଏକ ରେଷ୍ଟୁରାଣ୍ଟରେ ସୋନାଲିଙ୍କୁ ଏହା ପିଇବାକୁ ଦିଆଯାଇଥିବାର ସିସିଟିଭି ଫୁଟେଜ ରହିଛି । ସେଠାରେ ସେ ଅସୁସ୍ଥ ହେବା ପରେ ତାଙ୍କ ରୁମକୁ ଦୁଇ ସହଯୋଗୀ ନେଇଯାଇଥିଲେ । ପରଦିନ ସକାଳେ ସୋନାଲିଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା ବୋଲି କହିଛି ପୋଲିସ ।

ସୋନାଲିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ତାଙ୍କ ଦୁଇ ସହଯୋଗୀ ସୁଧୀର ସଙ୍ଗଓ୍ବାନ ଓ ସୁଖବିନ୍ଦର ସିଂଙ୍କୁ ଗିରଫ କରାଯାଇଥିଲା । ସେପଟେ ଚଣ୍ଡୀଗଡ଼ସ୍ଥିତ ଏକ ଫରେନସିକ ଲାବରେଟୋରୀରେ ସୋନାଲିଙ୍କ ଭିସେରା ପରୀକ୍ଷା କରାଯିବ ବୋଲି କହିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ।

ଆଜି ଅପରାହ୍ଣରେ ସୋନାଲିଙ୍କ ଶେଷକୃତ୍ୟ ହିସାରରେ କରାଯାଇଛି । ଶେଷକୃତ୍ୟ ବେଳେ ବହୁ ସଂଖ୍ୟକ ଶୁଭେଚ୍ଛୁ ଯୋଗ ଦେଇଥିଲେ ।