ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲା; ରହିଛି କି ପ୍ରେମ ଓ ପ୍ରତାରଣା

କେନ୍ଦୁଝର: କେନ୍ଦୁଝରରେ ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ। ନନ୍ଦିଘୋଷ ଟିଭି ହାତରେ ଲାଗିଲା ନୂଆ ତଥ୍ଯ। ଗତ ଡିସେମ୍ବର ୨୦ରେ ଶୁଭଶ୍ରୀ ଅନ୍ୟ ଜଣେ ଡାକ୍ତରଙ୍କ ନାଁରେ ଯୋଡ଼ା ଥାନାରେ ଦେଇଥିଲେ ଅଭିଯୋଗ। ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଅଭିଯୋଗ ଆଣିଥିଲେ ଶୁଭଶ୍ରୀ। ଦିବ୍ୟରଞ୍ଜନ ଜେଏସଡବ୍ଲୁ ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ।

ତେବେ ପରେ ବିବାହ କରିବାକୁ ମନା କରିଦେଇ ପ୍ରତାରଣା କରିଥିବା ଅଭିଯୋଗରେ ଦର୍ଶାଇଥିଲେ ଶୁଭଶ୍ରୀ। ଏଥିସହ ଦିବ୍ୟରଞ୍ଜନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ। ଡାକ୍ତରାଣୀଙ୍କ ମୃତ୍ୟୁ ପଛରେ ଏହା କାରଣ କି? ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗତକାଲି ବନ୍ଦ ଘରୁ କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଭଡ଼ା ଘରେ ସେ ରହୁଥିଲେ। ମୃତକ ଶୁଭଶ୍ରୀ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଘର କଟକ ଜିଲ୍ଲା ବୟାଳିସ ମୌଜା । ସାଙ୍ଗମାନଙ୍କ ସହ ନୂଆବର୍ଷ ସେଲିବ୍ରେସନ ପାଇଁ ଯାଇଥିଲେ ଶୁଭଶ୍ରୀ। ସେଠାରୁ ଘରକୁ ଫେରି କବାଟ ଖୋଲିନଥିଲେ। ଏନେଇ ପୋଲିସକୁ ସୂଚନା ଦେବାପରେ ଘରର କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ଅନ୍ୟପଟେ ମୃତକଙ୍କ ପରିବାର ଲୋକ ଯୋଡ଼ାରେ ପହଞ୍ଚିଛନ୍ତି । ପ୍ରାଥମିକ ତଦନ୍ତରୁ ମୃତ ଡାକ୍ତର ସାଙ୍ଗଙ୍କ ସହ ୩୧ ତାରିଖ ରାତିରେ ସେଲିବ୍ରେସନ୍ କରିଥିଲେ। ଘରକୁ ଫେରିବା ପରେ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସେପଟେ ସାମନାକୁ ଆସିଛି ଶୁଭଶ୍ରୀଙ୍କ ଜିରୋ ନାଇଟ୍ ସେଲିବ୍ରେସନ ଫଟୋ। ସାଙ୍ଗଙ୍କ ସହ ମିଶି ନାଚିଥିଲେ ଶୁଭଶ୍ରୀ। ତାପରେ କଣ ଏମିତି ହେଲା ଯେ, ଶୁଭଶ୍ରୀଙ୍କ ମୃତ୍ୟୁ ହେଲା। ସେନେଇ ତଦନ୍ତ କରୁଛି ପୋଲିସ ।