ବଟ ବୃକ୍ଷରୁ ବାହାରୁଛି କ୍ଷୀର, ଦେଖିବାକୁ ଲୋକଙ୍କ ଭିଡ

ପୁରୀ: ବଟବୃକ୍ଷରୁ ଝରି ଚାଲିଛି କ୍ଷୀର । ଆଜି ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଏଭଳି ଅଲୌକିକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ନାନପୁର ଗ୍ରାମରେ । ଏହି ଘଟଣା ଆଖିକୁ ବିଶ୍ବାସ ହେଉନଥିଲେ ମଧ୍ୟ ସତ । ଆଜି ହେଉଛି ମୂଳାଷ୍ଟମୀ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା  । ଆଜି ଭଳି ପବିତ୍ର ଦିନରେ ନାନପୁର ଗ୍ରାମରେ ଥିବା ଅବଦୁତ ଗାଦିବ୍ରହ୍ମ ପୀଠରେ ପୂଜା ପାଉଥିବା ବଟବୃକ୍ଷରୁ କ୍ଷୀର ଝରିବା ସମସ୍ତଙ୍କୁ ଚକିତ କରିଛି ।

ଏ ଖବର ଚାରିଆଡେ ପହଞ୍ଚିଗଲାପରେ ସତରେ ବଟବୃକ୍ଷ ଗଛରୁ  କ୍ଷୀର ଝରୁଛି ନା ନାହିଁ ଦେଖିବା ପାଇଁ ବଟବୃକ୍ଷଗଛ ମୂଳେ ପହଁଚିଗଲେ ଲୋକେ । ଆଉ ତୁରନ୍ତ ଆରମ୍ଭ କରିଦେଲେ ପୂଜା ପାଠ। ଶଙ୍ଖ, ଘଣ୍ଟ ଓ ହୁଳହୁଳିରେ କମ୍ପୁଛି ସମଗ୍ର ପରିବେଶ । ଲୋକେ ମୁଣ୍ଡିଆ ମାରିବା ସହ ସେହି ଗଛରୁ ଝରିଥିବା କ୍ଷୀରକୁ ପାଦୁକା ରୂପେ ପାଉଛନ୍ତି । ଆଉ ଏସବୁ ସେଇ ପ୍ରଭୁଙ୍କ ଆଶୀର୍ବାଦ ବୋଲି ସମସ୍ତେ କହୁଛନ୍ତି  ।

ଖବର ବ୍ୟାପିବା ପରେ ପରେ ଏଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ଲୋକମାନେ ପୂଜାର୍ଚ୍ଚନା କରୁଛନ୍ତି । ସେଠାକାର ପୂଜକ କହୁଛନ୍ତି ସେ ଦୀର୍ଘ ୬୫ ବର୍ଷ ହେଲାଣି ଏମିତି ଦିବ୍ୟ ଅଲୌକିକ ଦୃଶ୍ୟ କେବେବି ଦେଖିନଥିଲେ । ଆଉ ଲୋକେ ବି କହୁଛନ୍ତି ଏହା ଚମତ୍କାର ।ଏମିତି ଘଟଣା ଘଟିବା ଭଗବାନଙ୍କର ସେମାନଙ୍କ ପ୍ରତି ଆଶୀର୍ବାଦ ।