ମିଆଁମାରରେ ସାମରିକ ବିଦ୍ରୋହ; ମହଙ୍ଗା ହେଲା ଇଡ଼ଲି, ଦୋସା

ନୂଆଦିଲ୍ଲୀ: ମିଆଁମାରରେ ସାମରିକ ବିଦ୍ରୋହକୁ ପାଖାପାଖି ମାସେ ହୋଇଗଲାଣି । ସେଠାକାର ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ତଡି ମିଲିଟାରି ଜୁନ୍ତା ନିଜ ଅକ୍ତିଆରରେ ଶାସନ କଳକୁ ରଖିଛି । ମିଆଁମାର ଭଳି ଗୋଟିଏ ଛୋଟ ଦେଶ ଯାହାର ବିଶ୍ୱ ପାୱାର କରିଡରରେ ସେମିତି କିଛି ବଡ ପ୍ରଭାବ ନାହିଁ ସେଠାକାର ଘରୋଇ ମାମଲା ପାଇଁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡିପାରେ ବୋଲି ଭାବୁଥିବେ । ଯଦି ଆପଣ ଏମିତି ଭାବୁଛନ୍ତି ତେବେ ଆପଣ ଭୁଲ । ମିଆଁମାର ସାମରିକ ବିଦ୍ରୋହ କାରଣରୁ ଆପଣଙ୍କ ପର୍ସ ଉପରେ ପ୍ରଭାବ ପଡିବ । ଏହାକୁ ଟିକିଏ ଭଲକି ବୁଝାଇ କହିଲେ ଏମିତେ ଯେ, ଯଦି ଆପଣ ଇଡ଼ଲି,ଦୋସା ଭଳି ଦକ୍ଷିଣ ଭାରତୀୟ ଖାଦ୍ୟର ଭକ୍ତ ତେବେ ମିଆଁମାରରେ ଶୀଘ୍ର ଶାନ୍ତି ଫେରିବା ଆପଣଙ୍କ ସ୍ୱାର୍ଥ ପାଇଁ ଭଲ ହେବ ।

ମିଆଁମାରର ଇଡ଼ଲି କନେକ୍ସନ
ବିରି ବିନା ଇଡ଼ଲିର କଳ୍ପନା କରାଯାଇ ପାରିବନି । ମିଆଁମାର ହେଉଛି ବିଶ୍ୱର ଦୁଇ ନମ୍ବର ବିରି ଉତ୍ପାଦକ ରାଷ୍ଟ୍ର । ଭାରତକୁ ମିଆଁମାରରୁ ଅଧିକ ବିରି ଆସିଥାଏ । ୧୫ ଫେବ୍ରୁଆରୀରୁ ୧୫ ମାର୍ଚ୍ଚ ମଧ୍ୟରେ ମିଆଁମାରରେ ସାମରିକ ବିଦ୍ରୋହର ପ୍ରଭାବ ଅଧିକ ଥିଲା । ଆଉ ଏହି ସମୟରେ ଭାରତରେ ବିରି ଦାମ ଅଧିକ ବଢିଥିଲା ।
ମୁମ୍ବାଇର ହୋଲସେଲ ବଜାରରେ ବିରି କିଲୋ ପ୍ରତି ୯୭ରୁ ୧୧୦ ଟଙ୍କା । ରିଟେଲ ବଜାରରେ ଏହା କିଲୋ ପ୍ରତି ୧୧୭ ଟଙ୍କା ବଦଳରେ ୧୩୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଦିଲ୍ଲୀରେ ଆଗରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବିରି ଏବେ କିଲୋ ପ୍ରତି୧୨୩ ଓ ଲକ୍ଷ୍ନୌରେ ୧୧୩ ବଦଳରେ ୧୪୫ ଟଙ୍କାରେ ବିକ୍ରି ହେଉଛି ।

ଆଗକୁ ଆହୁରି ଦାମ ବଢିବ କି ?
ବିରି ପୁରା ଭାରତରେ ବ୍ୟାପକ ଭାବେ ଖାଦ୍ୟରେ ବ୍ୟବହୃତ ହୋଇଥାଏ । ଦକ୍ଷିଣ ଭାରତର ପ୍ରମ୍ମୁଖ ବ୍ୟଞ୍ଜନ ଇଡ଼ଲି ହେଉ କି ଓଡ଼ିଶାର ଚକୁଳି । ବିରି ବିନା ଏହି ସବୁ ଖାଦ୍ୟ ସାମଗ୍ରୀ ତିଆରି ହୋଇ ପାରିବ ନାହିଁ । ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି ଯେ, ମିଆଁମାରରେ ଯଦି ସ୍ଥିତି ଶୀଘ୍ର ନସୁଧୁରେ ତେବେ ଦରଦାମ ଆଗକୁ ମଧ୍ୟ ବଢିବ ।

Leave a Reply