ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଆକ୍ରମଣ ଅଭିଯୋଗ

ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଗାଁରେ ଜମିବାଡି ବିବାଦରୁ ନନ୍ଦ ସାରଙ୍କ ପରିବାରକୁ ମିଳିଛି ହତ୍ୟା ଧମକ । ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଜମିବାଡି ବିବାଦକୁ ନେଇ ନନ୍ଦ ସାର୍ ଓ ଅନ୍ୟ ଏକ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା ।  ପରେ ନନ୍ଦ ସାରଙ୍କ ବଡ଼ ପୁଅକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ନିକଟରେ  ଶତାୟୁ ଶିକ୍ଷକ ନନ୍ଦ ପୃଷ୍ଟିଙ୍କୁ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ଆଭୁଷିତ କରିଥିଲେ  । ପୀଢି ପରେ ପୀଢି ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷାଦାନ ଜାରି ରଖିଛନ୍ତି ସାରେ । ପରିଣତ ବୟସରେ ମଧ୍ୟ କୁନି ପିଲାଙ୍କ ଭବିଷ୍ୟତ ଗଢିବାର ସଂକଳ୍ପରୁ ଓହରି ନାହାଁନ୍ତି ସାରେ । ନନ୍ଦ ପୃଷ୍ଟିଙ୍କୁ ନେଇ ଗୋଟପଟେ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି ।

ଖୋଦ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଶିଷ ପ୍ରଦାନ କରିବା ସହ ହାତ ଟେକି ଆଶୀର୍ବଦ ମଧ୍ୟ ଦେଇଥିଲେ । ଏଭଳି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆଶୀଷରେ ଆବିଭୂତ ହୋଇଯାଇଥିଲା ସମଗ୍ର ରାଷ୍ଟ୍ରପତି ଭବନ । କରତାଳିରେ ପ୍ରକମ୍ପିତ ହୋଇପଡ଼ିଥିଲା କକ୍ଷ । ସେପଟେ ଜଣେ ଗୌରବାନ୍ୱିତ ବ୍ୟକ୍ତିଙ୍କ ଓଡ଼ିଶା ଗର୍ବ ଅନୁଭବ କରୁଥିବାବେଳେ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିବା ଆଲୋଡ଼ନ ସୃଷ୍ଟି କରିଛି  ।

Leave a Reply