ମିଥ୍ୟା ବିଲ୍ ପାସ କରିବା ପାଇଁ ଯନ୍ତ୍ରୀଙ୍କୁ ହତ୍ୟା ଧମକ

ଠିକାଦାରଙ୍କ ଭାଇର ଦାଦାଗିରି। ମିଥ୍ୟା ବିଲ୍ ପାସ କରିବା ପାଇଁ ହତ୍ୟା ଧମକ। ଥାନାରେ ରୁଜୁ ହେଲା ମାମଲା। କଳାହାଣ୍ଡି ଜିଲ୍ଲା ଏମ ରାମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନନ୍ତ ପ୍ରଧାନଙ୍କୁ ପିସ୍ତଲ ଦେଖାଇ ମିଥ୍ୟା ବିଲ୍ ପାସ୍ କରିବା ପାଇଁ ହତ୍ୟା ଧମକ ଦେଇଛନ୍ତି କଣ୍ଟାବାଞ୍ଜିର ଜଣେ ଠିକାଦାରଙ୍କ ଭାଇ।ଏ ନେଇ ଏମ ରାମପୁର ଥାନାରେ ଏତଲା ହୋଇଛି। ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗକୁ ନେଇ ବିଭାଗୀୟ ଅଧିକାରୀମାନେ କାମ ପରିଦର୍ଶନରେ ଆସି ନିମ୍ନମାନର କାମ ହେଉଥିବା ଜାଣିବାକୁ ପାଇଥିଲେ। ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କୁ ଭଲ କାମ କରିବାକୁ ତାଗିଦ କରିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ କଥାକୁ ଗୁରୁତ୍ଵ ଦେଇନଥିଲେ ଠିକାଦାର। ପରେ ଠିକାଦାରର ଭାଇ ଗତ ୮ ତାରିଖରେ କିଛି ସହଯୋଗୀଙ୍କୁ ନେଇ ଏମ ରାମପୁର ସ୍ଥିତ ସରକାରୀ ବାସଭବନରେ ରହୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅନନ୍ତ ପ୍ରଧାନଙ୍କୁ ଆସି ଏକ ରାସ୍ତା କାମର ମିଥ୍ୟା ବିଲ୍ ପାସ୍ କରିବାକୁ ବାଧ୍ୟ କରାଇଥିଲେ। ଅଗ୍ରିମ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ। ପରେ ଯନ୍ତ୍ରୀ ଜଣକ ଏମ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ