ଘର ଆଲମିରାରୁ ମିଳିଲା ନିଖୋଜ ମହିଳାଙ୍କ ରକ୍ତାକ୍ତ ମୃତଦେହ

କୋଲକାତା: ଘର ଆଲମିରାରୁ ମିଳିଲା ନିଖୋଜ ମହିଳାଙ୍କ ରକ୍ତାକ୍ତ ମୃତଦେହ । ୩ ଦିନ ହେଲା ତାଙ୍କୁ ହତ୍ୟା କରି ସ୍ବାମୀ ଆଲମିରା ଭିତରେ ଲୁଚାଇ ରଖିଥିବା ଅଭିଯୋଗ । ଏପରି ଲୋମହର୍ଷକ ଘଟଣା ଘଟିଛି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଚୁରଚୁରା ଅଞ୍ଚଳରେ । ଏଠାରେ ରହୁଥିବା ବିଶ୍ବନାଥ ଖାଡା କ୍ୟାଟରିଂ ବ୍ୟବସାୟ କରନ୍ତି । ସେଥିପାଇଁ ତାଙ୍କୁ ଅନେକ ଦିନ ବାହାରେ ରହିବାକୁ ପଡ଼େ ।

ଆଜି ଘରକୁ ଫେରି କ୍ୟାଟରିଂ ଜିନିଷ ଆଣିବାକୁ ଆଲମିରା ଖୋଲିବା ବେଳେ ଭିତରେ ତାଙ୍କ ମା’ଙ୍କ ରକ୍ତାକ୍ତ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଖବର ଦେଇଥିଲେ । ବିଶ୍ବନାଥଙ୍କ ବାପା କୌଣସି କାମଧନ୍ଦା କରନ୍ତି ନାହିଁ । ସେ ମଦ ପିଉଥିବାରୁ ପତ୍ନୀଙ୍କ ସହ ପ୍ରତିଦିନ ଝଗଡ଼ା ହେଉଥିବା କହିଛନ୍ତି ପଡ଼ୋଶୀ ।

ମଦ ପାଇଁ ସେ ତାଙ୍କ ପତ୍ନୀକୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ୩ ଦିନ ହେଲା ବିଶ୍ବନାଥଙ୍କ ମା’ ନିଖୋଜ ଥିଲେ । ଆଜି ଆଲମିରାରୁ ମୃତଦେହ ମିଳିବା ପରେ ତାଙ୍କୁ ସ୍ବାମୀ ହତ୍ୟା କରି ଆଲମିରା ଭିତରେ ଲୁଚାଇ ରଖିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ୍ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।