ସୁଇସାଇଡ ନୋଟରେ ହତ୍ୟାକାଣ୍ଡ ନେଇ ସବୁ କିଛି ଲେଖିଛି ମୁକ୍ତିରଞ୍ଜନ!

ଆରଡି : ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ମୁଖ୍ଯ ଅଭିଯୁକ୍ତ ଥିବା ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ ଆତ୍ମହତ୍ୟା କରିଛି । ହତ୍ଯାକାଣ୍ଡ ପରଠୁ ମୁକ୍ତିରଞ୍ଜନ ଫେରାର ଥିବାବେଳେ ଗତକାଲି ଗାଁକୁ ଆସିଥିଲା । ଆଜି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ଯା କରିଛି । ପୋଲିସ ଏକ ଲାପଟପ, ଡାଏରୀ ସହ ସୁଇସାଇଡ ନୋଟ୍ ଜବତ କରିଛି । ପୋଲିସର ସୂଚନା ଅନୁସାରେ ସୁଇସାଇଡ ନୋଟରେ ହତ୍ୟାକାଣ୍ଡ ନେଇ ସବୁ କିଛି ଲେଖିଛି ମୁକ୍ତିରଞ୍ଜନ । ଗତ ୩ ତାରିଖରେ ଯୁବତୀଙ୍କୁ ସେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଫ୍ରିଜରେ ମୃତଦେହ ରଖିଥିଲା । ୨୧ ତାରିଖରେ ବେଙ୍ଗାଳୁରୁ ପୋଲିସ ତନାଘନା କରିବା ପରେ ନିଜ ଗାଁକୁ ପଳାଇ ଆସିଥିଲା । ମୁକ୍ତିରଂଜନ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ । ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବ ବୋଲି କହି ଘରୁ ବାହାରି ଯାଇ ଆତ୍ମହତ୍ଯା କରିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଜବତ ଲ୍ଯାପଟପ ଓ ଡାଇରୀରେ ହତ୍ଯାକାଣ୍ଡ ସମ୍ପର୍କିତ ଅନେକ କଥା ଲୁଚି ରହିଥିବା ସନ୍ଦେହ କରାଯାଉଛି ।