ଚଇତି ପର୍ବରେ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ଆକ୍ରମଣ, ୨ ମୃତ

ଜୟପୁର: ଚଇତି ପର୍ବ ଚାଲିଥିବା ବେଳେ ତୁମୁଳକାଣ୍ଡ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଜୟପୁରର ଦାମନଯୋଡ଼ି ଥାନା ସିନ୍ଧିପାର୍‌ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚଇତି ପର୍ବ ବେଣ୍ଟ ପରେ ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ, କୌଣସି କାରଣରୁ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଦୁର୍ବୃତ୍ତମାନେ ପୂର୍ଣ୍ଣ ନାୟକ ଏବଂ ଦେବେନ୍ଦ୍ର ଦାମୀ ନାମକ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମନାଥ ଦାମୀ ନାମକ ବ୍ୟକ୍ତିଙ୍କୁ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉତ୍ତେଜନାକୁ ଦୃଷ୍ଚିରେ ରଖି ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଘଟଣାରେ କିଛି ଲୋକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ।