ସାମାନ୍ୟ ଘୁଗୁନି ପାଇଁ ବିଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ବର:  ସାମାନ୍ୟ ଘୁଗୁନି ପାଇଁ ବିଭତ୍ସ ହତ୍ୟାକାଣ୍ଡ । କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ । ଚନ୍ଦକା ଥାନା ସସ୍ମିତା ବେହେରା ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ । ଅଭିଯୁକ୍ତ ମିଥୁନ ଜେନାକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

୫ ଟଙ୍କାର ଘୁଗୁନି ପାଇଁ ମର୍ଡର । ୨୪ ଦିନ ଅନ୍ଧାରରେ ବାଡ଼ି ବୁଲାଇଲା ଚନ୍ଦକା ଥାନା ପୋଲିସ୍ । ଶେଷରେ କ୍ରିମିନାଲକୁ କାବୁ କଲା ସ୍ପେଶାଲ ସ୍କ୍ୱାଡ୍ । ୨୪ ଦିନର କସରତ । ୩୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାରାଥନ ଜେରା । ଟାଓ୍ବାର ଡମ୍ପ ରେକର୍ଡ, କଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟରୁ, ଚନ୍ଦକା ଥାନା ପୋଲିସ କିଛି ନପାଇବା ପରେ ଶେଷରେ ଅଭିଯୁକ୍ତକୁ ଧରିଛି ସ୍ପେଶାଲ ସ୍କ୍ୱାଡ୍ । ଗତ ୭ ତାରିଖରେ ଗୋଠପାଟଣା ଛକରେ ଜଳଖିଆ ଦୋକାନ କରିଥିବା ସସ୍ମିତା ବେହେରାଙ୍କୁ ହତ୍ୟା କରାଯିବା ପଛରେ କାରଣ ହେଉଛି ଘୁଗୁନି । ହତ୍ୟାର ଦିନକ ପୂର୍ବରୁ ଜଳଖିଆ ଖାଇବା ବେଳେ ଘୁଗୁନି ମାଗିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରଦିନ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଘଙ୍ଗାପାଟଣା ତଳସାହିରର ମିଥୁନ ଜେନା ଏକ ଧାରୁଆ ଛୁରି କିଣି ଆଣିବା ସହ ସସ୍ମିତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ।

ମିଥୁନକୁ କାବୁ କରିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏଟ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି । କିଛିଦିନ ତଳେ ଟ୍ୟୁସନ ଫି ପାଇଁ ଜଣେ ନିରୀହ ନିଷ୍ପାପ ଛାତ୍ରଙ୍କୁ ଛୁରି ଭୁଷି ହତ୍ୟା କରିବା ଘଟଣା ମନରୁ ଲିଭୁଣୁ ପୁଣି ଘୁଗୁନି ପାଇଁ ହତ୍ୟାକାଣ୍ଡ ଘଟଣାକୁ ସହଜରେ ହଜମ କରିପାରି ନାହିଁ ପୋଲିସ । କେସ୍ ନମ୍ବର ୩୫୦ ଦଫା ୩୦୨ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ ।