ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଦୁର୍ବୃତ୍ତଙ୍କ ମାଡ଼ରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

1 min read

ଯାଜପୁର: ଜମିବାଡ଼ି ବିବାଦ ମାମଲା । ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ନିର୍ମମ ମାଡ଼ରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତର ପାଣିମୁହାଣୀ ଗାଁରେ । ଗାଁର ବିଜୟ ନାୟକ ଓ ସ୍ତ୍ରୀ ବନି ନାୟକ ଘରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ନିର୍ମମ ମାଡ଼ ମାରିଥିଲେ । ଦୁର୍ବୃତ୍ତଙ୍କ ମାଡ଼ରେ ବନି ନାୟକଙ୍କର ମୃତ୍ୟୁ ହୋଇଥିବାବେଳେ ବିଜୟ ନାୟକ ଗୁରୁତର ଅଛନ୍ତି । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ବିଜୟ ନାୟକ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଜମିରେ କଦଳୀ ଗଛ ପକାଇବାକୁ ନେଇ ବିବାଦ ଦେଖା ଦେଇଥିଲା । ଉଭୟ ପକ୍ଷରୁ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ବି ହୋଇଥିଲା । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।