ସାଲେପୁର ଲୁଟ୍ ଓ ହତ୍ୟାକାଣ୍ଡ ମାମଲା; ମାଷ୍ଟରମାଇଣ୍ଡ ମୃତ ହୃଷିକେଶଙ୍କ ନାତି ଗିରଫ

ସାଲେପୁର: ସାଲେପୁର ନେମାଳରେ ନାତି ସାଜିଥିଲା ହତ୍ୟାକାରୀ । ଲେଣ୍ଡୁରା ଭଗବାନପୁରରେ ଡକାୟତି ପରେ ବୀଭତ୍ସ ହତ୍ୟା ଓ ଅଗ୍ନିକାଣ୍ଡ ଘଟଣାର ହୋଇଛି ପର୍ଦ୍ଦାଫାଶ । ମର୍ଡରର ମାଷ୍ଟର ମାଇଣ୍ଡ ମୃତ ହୃଷୀକେଶ ମୁଦୁଲିଙ୍କ ନାତି । ଘଟଣା ଜଣାପଡିବା ପରେ ଅଭିଯୁକ୍ତ ନାତି ଓମ୍ ପ୍ରକାଶ ମୁଦୁଲିକୁ ଗିରଫ କରିଛି ପୋଲିସ । ଘଟଣାରେ ଅଭିଯୁକ୍ତର ବାପା ବାଦଲ ମୁଦୁଲି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ହତ୍ୟାକାଣ୍ଡକୁ ଲୁଟ୍‌ର ରୂପ ଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ମୁଖ୍ୟ ଉଦ୍ଦେଶ୍ୟ କିନ୍ତୁ ଥିଲା ଘରୁ ସୁନା ଅଳଙ୍କାର, ଟଙ୍କା ପଇସା ନେଇଯିବା । ତେଣୁ ମର୍ଡର ପ୍ଲଟ୍ ପ୍ରସ୍ତୁତ କରିଥିଲା ନାତି ଓମ୍ ପ୍ରକାଶ । ଲୁଟ୍ ବେଳେ ସେ ବି ଆହତ ହୋଇଥିବା ପୋଲିସ ଆଗରେ ବଖାଣିଥିଲା । ଆଉ ରଚିଥିଲା ଲୁଟ୍ ଓ ହତ୍ୟାର ଜଘନ୍ୟ ଖେଳ । ପୋଲିସ ଆଗରେ କହିଥିଲା ଲୁଟ୍ ପରେ ଦୁର୍ବୃତ୍ତ ଜେଜେ ଓ ଜେଜେମା’ଙ୍କୁ ଆକ୍ରମଣ କରିଥିଲେ ।

ଆଉ ତା ଆଙ୍ଗୁଠି କାଟି ଘରେ ବନ୍ଦ କରି ଦେଇଥିଲେ । ହେଲେ ସତ କେବେ ଲୁଚି ରହେନା । ଜେଜେ ନାତିଙ୍କ ମଧ୍ୟରେ ଏମିତି କଣ ଘଟିଥିଲା ଯେ ହତ୍ୟାକାଣ୍ଡ ଭିଆଇଲା ଓମ୍ ? ନା ଟଙ୍କା ସୁନା ଲୋଭରେ ଆତ୍ମୀୟଙ୍କ ଜୀବନ ନେଇଗଲା ସୈତାନ ନାତି ? ଏସବୁ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାରେ ଜେତେ ତଥା ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ମୁଦୁଲିଙ୍କର ମୃତ୍ୟୁ ହୋଇଛି । ସେପଟେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଆଈ କନକଲତାଙ୍କ ଚିକିତ୍ସା ଜାରି ରହିଛି ।