ପ୍ରେମ ପାଇଁ ଗଡ଼ିଲାଣି କେତେ ମୁଣ୍ଡ, ଜାଣିଲେ ତାଜୁବ୍ ହେବେ ଆପଣ
ଆପଣ ପ୍ରେମ କରୁଛନ୍ତି କି ? କାହାକୁ ହୃଦୟ ଦେଇ ଭଲ ପାଉଛନ୍ତି କି ? ତେବେ ସତର୍କ ରୁହନ୍ତୁ । କାରଣ ଆପଣଙ୍କ ଜୀବନରେ ଏମିତି କିଛି ଘଟଣା ଘଟିପାରେ, ଯାହା ଆପଣ କଳ୍ପନା ବି କରିପାରିବେ ନାହିଁ । ଆପଣଙ୍କ ଚାରିପାଖେ ଘେରି ରହିଛନ୍ତି ଶତ୍ରୁ । ଆପଣ ପୁଅ ହୁଅନ୍ତୁ ବା ଝିଅ ଆପଣଙ୍କୁ ସାମ୍ନା କରିବାକୁ ପଡ଼ିବ ଚ୍ୟାଲେଞ୍ଜ । ଏମିତିକି ଜୀବନ ବି ଚାଲିଯାଇପାରେ ।
ଆପଣ ସିନେମା ତ ନିଶ୍ଚୟ ଦେଖିଥିବେ ? ପ୍ରେମ ଉପରେ ଆଧାରିତ ସିନେମା ଏକ ରିଲ୍ ଲାଇଫ୍ କାହାଣୀକୁ ନେଇ ଗତିଶୀଳ ହୋଇପାରେ, କିନ୍ତୁ ସେଇ ପ୍ରେମ ବାସ୍ତବ ଜୀବନରେ ମାନେ ରିୟଲ ଲାଇଫରେ ଆପଣଙ୍କ ଜୀବନ ନାଟକ ବଦଳାଇଦେଇପାରେ । ପ୍ରେମରେ ଯଦି ସବୁ ଠିକ୍ ଠାକ୍ ଅଛି ତ ଅସୁବିଧା ନାହିଁ, କିନ୍ତୁ କୋଉଠି ଯଦି ଟିକେ ଇଲମ୍ ବିଲମ୍ ହେଲା ତେବେ ସବୁ ଅଡ଼ୁଆ ହେଇଯିବ । ଯାହା ଆପଣ ଫିଲ୍ମରେ ଦେଖୁଛନ୍ତି ତାହା ଆପଣଙ୍କ ଜୀବନରେ ବି ହେବାର ଯଥେଷ୍ଟ ଆଶଙ୍କା ରହିଛି । ଆପଣ ଅପରାଧର ଶିକାର ହେବେ ନା ନିଜେ ଅପରାଧୀ ବନିବେ ତାହା ଆପଣଙ୍କ ପରିସ୍ଥିତି କହିବ । ଆମେ ଆପଣଙ୍କୁ ବିଲକୁଲ ଡରାଇବାକୁ ଚାହୁଁନୁ, କିନ୍ତୁ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନସିଆରବି) ଯେଉଁ ତଥ୍ୟ ଦେଇଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ଏନସିଆରବି ତଥ୍ୟ କହୁଛି ….
ପାଳି ପୋଷି ବଡ଼ କରିଥିବା ଅଲିଅଳ ଝିଅକୁ ହତ୍ୟା କରୁଛନ୍ତି ବାପା ମା’…. ।
ପିଣ୍ଡ ପାଣି ଦେବ ବୋଲି ଯୋଉ ପୁଅ ଜନ୍ମ କରୁଛନ୍ତି ତାକୁ ବି କଲବଲ କରି ମାରି ଦେଉଛନ୍ତି …. ।
କୋଉଠି ତ୍ରିକୋଣୀୟ ପ୍ରେମ ତ କୋଉଠି ଲୁଚାଚୋରା ପ୍ରେମ ପାଇଁ ହେଉଛି ଜଘନ୍ୟ ହତ୍ୟା…. ।
କୋଉଠି ଏକ୍ସଟ୍ରା ମାରିଟାଲ ମାନେ ଅବୈଧ ପ୍ରେମ ପାଇଁ କାହାର ଜୀବନ ଯାଉଛି । କୋଉଠି ସ୍ୱାମୀ ସ୍ତ୍ରୀକୁ ମାରୁଛି ତ କୋଉଠି ସ୍ତ୍ରୀ ସ୍ୱାମୀକୁ…. ।
କୋଉଠି ମାରଣାସ୍ତ୍ରରେ ହତ୍ୟା ତ ଆଉ କୋଉଠି ଗୁଳି ଫୁଟୁଛି, ଆଉ କୋଉଠି କାହାକୁ ଜାଳି ବି ଦିଆଯାଉଛି …. । କାହାକୁ ମାରି ଝୁଲାଇ ଦିଆଯାଉଛି ବା ହତ୍ୟା କରି ନଈରେ ଫିଙ୍ଗି ଦିଆଯାଉଛି ବା ପୋତି ଦିଆଯାଉଛି….. ।
କୋଉଠି କିଏ କାହାର ତଣ୍ଟି ଚିପି ଦେଉଛି ତ କିଏ କାହାକୁ ଜବରଦସ୍ତ ବିଷ ପିଆଉଛି ।
ନିଷ୍ଠୁର ସତ୍ୟ ହେଉଛି, ପ୍ରେମ ନେଉଛି ଜୀବନ…. । ଆଉ ଭାରତରେ ପ୍ରେମ କରିବା ଏକ ପ୍ରକାର ଅପରାଧ ! ଅବଶ୍ୟ ଆଇନ ଆଖିରେ ନୁହେଁ, ସମାଜ ଆଖିରେ… । ୨୦୦୧ରୁ ୨୦୧୭ ମଧ୍ୟରେ ଘଟିଥିବା ହତ୍ୟାଘଟଣା ସବୁକୁ ଅନୁଶୀଳନ କଲେ ଜଣାପଡ଼ୁଛି, ଆମ ଲୋକଙ୍କ ନଜରରେ ପ୍ରେମ କରିବା ମହାପାପ ।
ଏନସିଆରବି ତଥ୍ୟ ମୁତାବକ, ୨୦୦୧ରେ ଭାରତରେ ୩୬ ହଜାର ୨୦୨ ହତ୍ୟାକାଣ୍ଡ ଘଟିଥିଲା । ଏହି ସଂଖ୍ୟା ୨୦୧୭ ବେଳକୁ ଥିଲା ୨୮ ହଜାର ୬୫୩ । ମାନେ ହତ୍ୟାକାଣ୍ଡ ସଂଖ୍ୟା ୨୧ ପ୍ରତିଶତ କମିଥିଲା । ହେଲେ ସାଂଘାତିକ କଥା ହେଉଛି ପ୍ରେମଜନିତ ହତ୍ୟାଘଟଣା ୨୮ ପ୍ରତିଶତ ବଢ଼ି ଯାଇଥିଲା । କେବଳ ୨୦୧୭ରେ ଯାହା ଏହି ସଂଖ୍ୟା ସାମାନ୍ୟ କମିଛି।
ତଥ୍ୟ କହୁଛି ୨୦୧୫ରେ ପ୍ରେମ ପାଇଁ ୧୩୭୯ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୬ରେ ୧୪୯୩ ଆଉ୨୦୧୭ରେ ୧୩୯୦ ଜଣଙ୍କୁ ହତ୍ୟା କରାଯାଇଥିଲା ।
କୋଉ ରାଜ୍ୟରେ ପ୍ରେମଜନିତ ହତ୍ୟାକାଣ୍ଡ ସର୍ବାଧିକ
ପ୍ରେମଜନିତ ହତ୍ୟାକାଣ୍ଡରେ ସବୁଠୁ ଆଗରେ ରହିଛି ଉତ୍ତରପ୍ରଦେଶ । ଏଠାରେ ବର୍ଷକୁ ହାରାହାରି ୫୫୩ ହତ୍ୟାକାଣ୍ଡ ଘଟୁଥିବା ବେଳେ କେବଳ ପ୍ରେମଜନିତ ହତ୍ୟାକାଣ୍ଡ ହେଉଛି ୩୯୫ । ସେହିପରି ଆନ୍ଧ୍ରପ୍ରଦେଶ ( ତେଲେଙ୍ଗାନାକୁ ମିଶାଇ)ରେ ହାରାହାରି ବର୍ଷକୁ ୩୮୪ ଜୀବନ ପ୍ରେମଜନିତ ଘଟଣାରେ ହିଁ ଯାଇଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ଦୁଇଟି ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି କାହାକୁ କେବଳ ପ୍ରେମଜନିତ ଘଟଣାରେ ହତ୍ୟା କରାଯାଏ ।
ଆନ୍ଧ୍ର ପ୍ରଦେଶ ପରେ ତୃତୀୟ , ଚତୁର୍ଥ ଆଉ ପଞ୍ଚମ ସ୍ଥାନରେ ରହିଛନ୍ତି ମହାରାଷ୍ଟ୍ର , ତାମିଲନାଡୁ ଆଉ ଗୁଜରାଟ । ପ୍ରେମଜନିତ ଘଟଣାରେ ମହାରାଷ୍ଟ୍ରରେ ବର୍ଷକୁ ହାରାହାରି ୨୭୭ ଜଣଙ୍କ ଜୀବନ ଯାଉଥିବା ବେଳେ, ତାମିଲନାଡୁରେ ୨୪୦, ଗୁଜରାଟରେ ୧୫୬ ଆଉ କର୍ଣ୍ଣାଟକରେ ୧୧୩ ଜଣଙ୍କ ଜୀବନ ଯାଏ । ହାରାହାରି ହିସାବରେ ୧୦୦ ତଳକୁ ରହିଛନ୍ତି ପଞ୍ଜାବରେ ୯୮, ଦିଲ୍ଲୀ ୫୧, ପଶ୍ଚିମବଂଗ ୨୯ ଆଉ କେରଳ ୬ ।
ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଆଉ ଆସାମରେ ହତ୍ୟାକାଣ୍ଡର ତୃତୀୟ ବା ଚତୁର୍ଥ କାରଣ ହେଉଛି ପ୍ରେମ । ଏଠାରେ ଅନ୍ୟାନ୍ୟ କାରଣରୁ ଅଧିକାଂଶ ହତ୍ୟାକାଣ୍ଡ ଘଟିଥାଏ ।
ଅନର କିଲିଙ୍ଗ
ଆଉ ଏକ ସାଂଘାତିକ କଥା ହେଉଛି, ଅନର କିଲିଙ୍ଗ, ପ୍ରେମ ପାଇଁ ପିତା ମାତା ବା ପରବିାର ଲୋକଙ୍କ ସମ୍ମାନହାନି ପାଇଁ ୨୦୧୬ରେ ୭୧ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୭ରେ ୯୨ ଜଣଙ୍କୁ ହତ୍ୟା କରାଯାଇଥିଲା ।
ସମାଜବିଜ୍ଞାନୀଙ୍କ ମତରେ ଏହି ସବୁ ହତ୍ୟାକାଣ୍ଡ ପାଇଁ ସାମାଜିକ ଓ ରାଜନୈତିକ କାରଣ ହିଁ ଦାୟୀ । ଅଧାରୁ ଅଧିକ ଘଟଣାରେ ବାପା ମା’ ବା ପରିବାରର ଇଛା ବିରୋଧରେ ଝିଅ ବା ପୁଅର ପ୍ରେମ ବିବାହ ଏବେ ବି ଗ୍ରହଣୀୟ ହୋଇପାରୁନି । ଯାହା ଫଳରେ ନିଜେ ବାପା ମା ବା ପରିବାର ଲୋକ ନିଜ ପୁଅ ବା ଝିଅକୁ ହତ୍ୟା କରୁଛନ୍ତି । ଆଇନ ଆଖିରେ ପ୍ରେମ ବିବାହ ବିଲକୁଲ ଅପରାଧ ହୋଇ ନ ଥିବା ବେଳେ ପରିବାରର ନିଷ୍ଠୁର ସଂସ୍କାର ହତ୍ୟାକାଣ୍ଡର କାରଣ ହେଉଛି ।
ଏ ତ ଥିଲା ପ୍ରେମ ଜନିତ ହତ୍ୟାକାଣ୍ଡ , ପ୍ରେମଜନିତ ଅନ୍ୟ ଅପରାଧ କଥା ନ କହିବା ଭଲ । ବୋଧହୁଏ ପ୍ରତି ଘଣ୍ଟାରେ ଅପରାଧ ଘଟୁଛି । ଆପଣ ଏ ନିଷ୍ଠୁର ସମାଜରେ ନିଜକୁ କେମିତି ସୁରକ୍ଷିତ ରଖିବେ ନିଷ୍ପତ୍ତି ଆପଣଙ୍କ ପାଖରେ ।