ଘରେ ନିଆଁ ଲଗାଇଦେଲେ, ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

କେନ୍ଦୁଝର: ଘରେ ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପୋଡ଼ି ନୃଶଂସ ହତ୍ୟା କରିଥିବା ଅଭିଯୋଗ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ହୁଣ୍ଡୁଳା ଗାଁରେ । ପୂର୍ବ ଶତ୍ରୁତାରୁ ପ୍ରଣବ ମହାନ୍ତଙ୍କୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗୁରୁଚରଣ ମହାନ୍ତଙ୍କ ପୁଅ ପ୍ରଣବ ମହାନ୍ତ ଘରେ ଥିବା ବେଳେ, କିଛି ଲୋକ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଘଟଣାସ୍ଥଳରେ ପ୍ରଣବଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାହିଁକି ପ୍ରଣବକୁ କିଏ ହତ୍ୟା କରିଛି, ତାର ଖୋଳତାଡ଼ କରୁଛି ପୋଲିସ ।

ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି  । କିଭଳି ଜଣେ ଯୁବକକୁ ନିମର୍ମ ଭାବେ ହତ୍ୟା କରାପାରନ୍ତି ଦୁର୍ବୁତ୍ତ  । ଗାଁ ଭିତରେ କିପରି ସୁଚିନ୍ତିତ ଭାବେ ଯୁବକ ମାନେ ଜଣେ ବ୍ୟକ୍ତିର ଘରେ ନିଆଁ ଲଗାଇବା ସହ ଜଣଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି, ତାହା ବର୍ବରତାର ସବୁ ସୀମା ଟପିଛି  । ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି  ।