କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ; ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ

କେନ୍ଦୁଝର: କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ଜଣେ ସାଙ୍ଗ ନେଲା ସାଙ୍ଗର ଜୀବନ । ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ । ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳ ୬ ନଂ ୱାର୍ଡ଼ ବାଚୁ ହଟିଂ ଅଞ୍ଚଳରେ । ମୃତକ ହେଲେ ଭାଗବତ ବେଶ୍ରା।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳୁ ହତ୍ୟାକାରୀ ସାଙ୍ଗ ଦୁର୍ଗା ନାଏକ ଫେରାର ହୋଇଯାଇଛି । ସୂଚନା ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭକରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି । ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ବାହାରି ଆସି ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।
ସେପଟେ ଆହତ ବ୍ୟକ୍ତି ଦଶରଥ କାରୁଆଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁର୍ଗା ନାଏକ ମଦ ଆଣିବାକୁ ଯାଇଥିବା ବେଳେ ସେ ଏବଂ ଭାଗବତ ବେଶ୍ରା ରୋଷେଇ କରୁଥିଲେ। ପାଖାପାଖି ୮ ଟା ସମୟରେ ଦୁର୍ଗା ନିଶାରେ ଚୁର ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଭାଗବତଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା। ସେଠାରୁ ଜୀବନ ନେଇ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ଦଶରଥ। ହତ୍ୟାକାରୀ ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ହୋଇଯାଇଛି । ପ୍ରାୟ ୫ ବର୍ଷ ତଳେ ଦୁର୍ଗା ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲା।
ଅନ୍ୟପଟେ ଖବର ପାଇ ପୋଲିସ୍ ଅଧିକାରୀଙ୍କ ସହ ବଡ଼ବିଲ ଆଡ଼ିସନାଲ ଏସ ପି ପ୍ରତ୍ୟୁଷ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ପ୍ରକୃତରେ କାଲି ରାତିରେ କ’ଣ ଘଟିଥିଲା । ହଠାତ୍ କାହିଁକି ଉତକ୍ଷିପ୍ତ ହୋଇ ଉଠିଲା ଦୁର୍ଗା । ଏସବୁକୁ ନେଇ ପୋଲିସ୍ ତଦନ୍ତ ଚଳାଇବା ସହ ଫେରାର ଅଭିଯୁକ୍ତ ସାଙ୍ଗ ଦୁର୍ଗା ନାଏକକୁ ଧରିବା ପାଇଁ ତନାଘନା ଚଳାଇଛି ଯୋଡ଼ା ପୋଲିସ୍।