ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ । ୯୫ ବର୍ଷରେ ପ୍ରାଣତ୍ୟାଗ କଲେ ମୁରଲୀଧର । ଓଡ଼ିଶାର ୪୩ ତମ ରାଜ୍ୟପାଳ ଭାବରେ କାର୍ଯ୍ୟନିର୍ବାହ କରିଥିଲେ ମୁରଲୀଧର । ୨୧ ଅଗଷ୍ଟ ୨୦୦୭ରୁ  ୯ ମାର୍ଚ ୨୦୧୩ ପର୍ଯ୍ୟନ୍ତ ନିଜ କାର୍ଯ୍ୟକାଳ ସୂଚାରୁରୂପେ ସମ୍ପାଦନ କରିଥିଲେ । ଏହା ସହ ସେ ସୁପ୍ରିମ କୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟକରିଥିଲେ। ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଆସିଛି । ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ ‘ଦି ୱାର୍ଲଡ ଅଫ ଜେଣ୍ଡର ଜଷ୍ଟିସ’ ନାମକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯକରିଛନ୍ତି । ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କଦ୍ୱାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି । ତାଙ୍କ ବିୟୋଗରେ ଗଭିର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ।