ଆଶା ସଞ୍ଚାର କଲେ ୨୦ ବର୍ଷର ଯୁବକ: ସମ୍ କୋଭିଡ ହସ୍ପିଟାଲରେ ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ରହିବା ପରେ ସୁସ୍ଥ ହେଲେ

ଭୁବନେଶ୍ୱର: ମହାମାରୀର ମହାମୁକାବିଲାରେ ବିଜୟୀ ହୋଇଛନ୍ତି ୨୦ ବର୍ଷର ଯୁବକ । କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ, ଏହି କଥାକୁ ପ୍ରମାଣିତ କରିଦେଖାଇଛନ୍ତି ମୁନିଗୁଡ଼ାର ପ୍ରତୀକ୍ଷ କାଦମ୍ୱାଲୁ । ସମ୍ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ୱାଲୁ । ଦୀର୍ଘ ୧ ମାସ ଧରି ଏହି ଅଦୃଶ୍ୟ ଶତ୍ରୁ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଫେରିଛନ୍ତି ପ୍ରତୀକ୍ଷ । ରାୟଗଡ଼ାସ୍ଥିତ ମୁନିଗୁଡ଼ା ଅଞ୍ଚଳର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ପ୍ରତୀକ୍ଷ କରୋନା ସଂକ୍ରମିତ ହୋଇ ଗତ ଏପ୍ରିଲ ୩୦ ତାରିଖ ଦିନ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏହା ସହ ତାଙ୍କର ଶରୀରରେ ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା ।

ତେବେ ସମ୍‌ର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ତାଙ୍କୁ ସୁସ୍ଥ କରିବା ପାଇଁ । ସେମାନଙ୍କର ପରିଶ୍ରମ ସଫଳ ବି ହୋଇଥିଲା । ଧିରେ ଧିରେ ସୁସ୍ଥ ହୋଇଥିଲେ ପ୍ରତୀକ୍ଷ । ଭେଣ୍ଟିଲେଟରରୁ ବାହାରିବା ସହ କିଛି ଦିନ ମଧ୍ୟରେ ଆଇସିୟୁରୁ ମଧ୍ୟ ତାଙ୍କୁ ବାହାରକୁ ନିଆଯାଇ ଓ୍ୱାର୍ଡରେ ଚିକିତ୍ସା କରାଯାଇଥିଲା । ଧୀରେ ଧୀରେ ସୁସ୍ଥ ହେବା ସହ କୋଭିଡ ମୁକ୍ତ ହୋଇଥିଲେ ପ୍ରତୀକ୍ଷ । ଏହି ସମୟରେ ତାଙ୍କ ପରିବାର ସହ ନିୟମିତ ଯୋଗାଯୋଗରେ ଥିଲେ ସମ୍ କେଭିଡ ହସ୍ପିଟାଲ ହେଲ୍ପଡେସ୍କ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ଦେବା ସହ ଭିଡିଓ କଲ୍ କରି ପ୍ରତୀକ୍ଷ କିଭଳି ଅଛନ୍ତି ସେ ଦୃଶ୍ୟ ମଧ୍ୟ ପରିବାରକୁ ଦେଖାଉଥିଲେ । ଦୀର୍ଘ ଏକ ମାସର ଚିକିତ୍ସା ଫଳରେ ସେ ଏବେ ସୁସ୍ଥ ହୋଇ ନିଜ ଘର ମୁନିଗୁଡ଼ା ଫେରିଯାଇଛନ୍ତି । ସମ୍ କେଭିଡ ହସ୍ପିଟାଲରେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପରିବାରବର୍ଗ ।

Leave a Reply