ମିଳୁନି ସରକାରୀ ପ୍ରୋତ୍ସାହନ: ଜଳସେଚନ ବ୍ୟବସ୍ଥା କରିବାକୁ ଦାବି, କେବେ ଦୂର ହେବ ଚାଷୀଙ୍କ ଦୁଃଖ

ମୁନିଗୁଡ଼ା: ନିୟମଗିରି ପର୍ବତମାଳାର ପାଦଦେଶରେ ଅଳସ ଭାଙ୍ଗୁଛି ଅଳସୀ । ରାଶି ଓ ସୂଯ୍ୟମୁଖୀର ହଦଳୀ ରଙ୍ଗରେ ସଜେଇ ହୋଇଛି ଧରଣୀ ରାଣୀ । ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଚାଷୀର କଷ୍ଟ ଉପାର୍ଜିତ ଫସଲ ଏବେ ପ୍ରକୃତିରାଣୀର ଶୋଭାମଣ୍ଡନ କରୁଛି । ଏହି ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସିଙ୍ଗାରୀ ମେରିଙ୍ଗ ଆଦି ଗାଁ ନିକଟ ଚାଷ ଜମିର । ତୈଳ ବୀଜ ଚାଷ କରି ସୁନେଲି ଫସଲ ଉତ୍ପାଦନ ଆଶାରେ ଚାଷୀ । ଏଇ ଅଞ୍ଚଳର ଜଳବାୟୁ ମାଟିର ଆର୍ଦତା ତୈଳ ବିଜ ଚାଷ ପାଇଁ ବେଶ୍ ଅନୁକୂଳ ହୋଇଥାଏ । ତୈଳ ବିଜ ଚାଷ ପାଇଁ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁନଥିବାରୁ କେବଳ ଛୋଟ ଛୋଟ ଚାଷୀ ପରିବାରର ଗୁଜରାଣ ମେଣ୍ଟାଇବାକୁ ଏହି ଚାଷ କରୁଛନ୍ତି । ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ ଡିସେମ୍ବର ମାସ ଯାଏ ଅଗାଧ ପରିଶ୍ରମ କରି ତୈଳ ବୀଜ ଫସଲ ରାଶି, ଅଳସୀ ଓ ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ଏବେ ଅମଳ ଋତୁରେ ଚାଷୀ କ୍ଷେତରୁ ଖଳାକୁ ଆଣୁଛି ଫସଲ ।

ମୁନିଗୁଡ଼ା ବ୍ଲକରେ ପ୍ରାୟ ୯୦୦ ହେକ୍ଟର ଅଣ ଜଳ ସେଚିତ ଚାଷ ଜମି ରହିଛି । ସେଥିରୁ ମାତ୍ର ୫୦ ହେକ୍ଟର ଜମିରେ ତୈଳବିଜ ଫସଲ ଚାଷ କରାଯାଉଛି । ମୁନିଗୁଡ଼ା ବ୍ଲକରେ ନିଜ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ନାମମାତ୍ର ଚାଷୀ ଏହି ତୈଳବିଜ ଚାଷ କରୁଛନ୍ତି । ବର୍ତ୍ତମାନ ଦୈନିକ ବଜାରରେ ଖାଇବା ତେଲ ଦର ଆକାଶ ଛୁଆଁ ହୋଇଛି । ସରକାର ତୈଳବିଜ ଚାଷକୁ ପ୍ରୋତ୍ସାହନ ଓ ବିକ୍ରିବଟା ପାଇଁ ମାର୍କେଟ ବ୍ୟବସ୍ଥା ଉପଲବ୍ଧ କରାଇଲେ ଅଧିକରୁ ଅଧିକ ଚାଷୀ ଏହି ତୈଳ ବିଜ ଚାଷ କରିବାକୁ ଆଗଭର ହେବେ । ଏହ ସହିତ ନିୟମଗିରି ପର୍ବତ ଝରଣାରୁ ବୋହି ଯାଉଥିବା ବଂଶଧାରା, ସକଟା ଓ କରଞ୍ଜ ନାଳରେ ଆଡିବନ୍ଧ ନିର୍ମାଣ କରି ଚାଷ କ୍ଷେତକୁ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ । ଜଳସେଚନ ସୁବିଧା ହେଲେ ଚାଷୀମାନେ ତୈଳବିଜ ସହିତ ଧାନ, ଗହମ, ପନିପରିବା ସହ ଡାଲି ଜାତୀୟ ଫସଲ ଉତ୍ପାଦନ କରିବାକୁ ଆଶା ରଖିଛନ୍ତି ଚାଷୀ । ବଜାରରେ ତୈଳ ଦର ଆକାଶ ଛୁଆଁ ହୋଇଛି । ଏପରି ସ୍ଥଳେ ରାଜ୍ୟରେ ଅଧିକରୁ ଅଧିକର ତୈଳ ବିଜ ଚାଷ ପାଇଁ ଚାଷୀକୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

ନଜର ପକାନ୍ତୁ