ପୌର ନିର୍ବାଚନ: ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ଭୁବନେଶ୍ୱର: ଚାଲିଛି ପୌର ଭୋଟ । ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ଏପର୍ଯ୍ୟନ୍ତ ବେଶ୍ ସୁରଖୁରରେ ଚାଲିଛି ମତଦାନ । ତେବେ ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନା ଆଜି ପୌର ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ମତ ସାବ୍ୟସ୍ତ କରୁଛନ୍ତି ଜନତା । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ ।

ଅନ୍ୟପଟେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ହିଂସା ଆଶଙ୍କାରେ ଚଳିତ ଥର ନିର୍ବାଚନରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିଛି । ଚଳିତ ଥର ନିର୍ବାଚନରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୁବନେଶ୍ୱରରେ ୩୦, କଟକରେ ୨୦ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ରହିଛନ୍ତି । ଏହା ସହ ୩୦୦ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ  । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି  ।