ଆଜି ସରିବ ପ୍ରଚାର, ରାଜଧାନୀରେ ହେଭିଓ୍ୱେଟଙ୍କ ହାଇଭୋଲଟେଜ୍ କ୍ୟାମ୍ପେନିଂ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ କମ୍ପୁଛି ରାଜଧାନୀ । ଶେଷ ଦିନରେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ପ୍ରାର୍ଥୀ । ଭୋଟରଙ୍କ ସମର୍ଥନ ପାଇଁ ମଇଦାନରେ କସରତ କରୁଛନ୍ତି ହେଭିଓ୍ବେଟ । ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ବିଭିନ୍ନ ୱାର୍ଡ ପରିକ୍ରମା କରି ପ୍ରଚାର କରୁଛନ୍ତି । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବିଭିନ୍ନ ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ରୋଡ ଶୋ’ କରିଛନ୍ତି ବିଜେଡି ମେୟର ପ୍ରାର୍ଥୀ ।

ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ସାଇ ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ବାହାରିଛନ୍ତି । ବିଜେଡି ଉପରେ ଲୋକଙ୍କର ବିଶ୍ବାସ ରହିଛି । ଏଣୁ ନବୀନ ବାବୁ ଓ ଶଙ୍ଖ ଚିହ୍ନ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଛି। ଏଣୁ ୬୭ ଓ୍ବାର୍ଡରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ବିଜେଡି ପ୍ରାର୍ଥୀନୀ ସୁଲୋଚନା ଦାସ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ । ସେପଟେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଛି ବେଶ ଉତ୍ସାହ ।