Municipal Elections: ସକାଳ ୮ଟାରୁ ଭୋଟ୍ ଗଣତି, କର୍ପୋରେଟର ଓ ମେୟରଙ୍କ ପାଇଁ ଅଲଗା ଟେବୁଲ୍

Municipal Elections Results To Be Out Tomorrow

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ପୌର ପରୀକ୍ଷା । ସରିଛି ମତଦାନ, କାଲି ସକାଳ ୮ଟାରୁ ମାରାଥନ୍ କାଉଣ୍ଟିଂ । ଭଦ୍ରକ ଧାମନଗର ଏନଏସିକୁ ବାଦ୍ ଦେଇ ନିର୍ବାଚନ ହୋଇଥିବା ୫୮ଟି ଏନ୍ଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ହେବ କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲଟ, ତାପରେ ଇଭିଏମ୍ ଭୋଟ୍ ଗଣତି କରାଯିବ । ୧୦୮ଟି ସହରାଞ୍ଚଳର ଭୋଟ୍ ଗଣତି କେନ୍ଦ୍ରରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ଏନଏସିରେ ୨ଟି ଟେବୁଲ୍, ପୌର ପରିଷଦରେ ୫ଟି ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଗଣତି ହେବ । କାଉନସିଲର ଏବଂ ଅଧ୍ୟକ୍ଷ ସହିତ କର୍ପୋରେଟର ଏବଂ ମେୟରଙ୍କ ପାଇଁ ଅଲଗା ଟେବୁଲ୍ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ ।

Municipal Elections Results To Be Out Tomorrow

କଡ଼ା ସୁରକ୍ଷା ବଳୟରେ ବାହାରିବ ରେଜଲ୍ଟ । ନିର୍ଦ୍ଧାରଣ ହେବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ । କିନ୍ତୁ ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ହେବ ନାହିଁ ଭୋଟ୍ ଗଣତି । ୬ଟି ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ୍ ଗଣତି ହେବ । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ୍ ଗଣତି ହେବ ।

Municipal Elections Results To Be Out Tomorrow

ଏଥର ପୌର ନିର୍ବାଚନରେ ୩୨ଟି ସହରାଞ୍ଚଳର ୭୦ ଜଣ କାଉନସିଲର ଏବଂ ବ୍ରହ୍ମପୁର ମହାନଗର ନିଗମର ୩ ଜଣ କର୍ପୋରେଟର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ୭୦ କାଉନସିଲରଙ୍କ ମଧ୍ୟରୁ ଶାସକ ବିଜେଡିର ୬୬ ଜଣ ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ଓ ବିଜେପିରୁ ଜଣେ ଲେଖାଏ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁରରେ ବିଜେଡିର ୩ ଜଣ କର୍ପୋରେଟର ମଧ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

Municipal Elections Results To Be Out Tomorrow

କାଲି ଗଣତି ହେବାକୁ ଥିବା ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍ ରହିଛି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ସହକାରୀ ନିୟୋଜିତ ରହିବେ । ପୌର ନିର୍ବାଚନରେ ୬୫ ପ୍ରତିଶତ ମତଦାନ ହୋଇଥିବାବେଳେ ଭୁବନେଶ୍ୱରରେ ସବୁଠୁ କମ୍ ୪୩ ପ୍ରତିଶତ ମତଦାନ ହୋଇଛି ।