ଆଖି ସାମ୍ନାରେ ପଡିଥିଲା ପତ୍ନୀ ଓ ଛୁଆର ମୃତଦେହ; ତଥାପି ଅନ୍ୟର ଜୀବନ ବଞ୍ଚାଇବାରେ ଲାଗିଥିଲେ କରମବୀର

ମୁମ୍ବାଇ: ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରିଛି ୧୨ ବର୍ଷ । ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇର ତାଜ ହୋଟେଲରେ ଘଟିଥିଲା ଏହି ବର୍ବରୋଚିତ ଅଘଟଣ । ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡରେ ଧରି ଉଠିଥିଲା ପୂରା ମୁମ୍ବାଇ ।

ସେହି ଆକ୍ରମଣରେ ନିଜ ଜୀବନକୁ ଖାତିର ନକରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ଲାଗିପଡିଥିଲେ ଜଣେ ବ୍ୟକ୍ତି । ଆମେ କହୁଛୁ ତାଜ ହୋଟେଲର ଜେନେରାଲ୍ ମ୍ୟାନେଜର କରମବୀର ସିଂହ କାଙ୍ଗଙ୍କ ସମ୍ପର୍କରେ…

ସୂଚନା ଅନୁଯାୟୀ କାଙ୍ଗଙ୍କ ସାହସିକତା ତଥା ସହଯୋଗ ପାଇଁ ହୋଟେଲରେ ଥିବା ଶହ ଶହ ଲୋକଙ୍କର ଜୀବନ ବଞ୍ଚିଯାଇପାରିଥିଲା । ହେଲେ ଦୁର୍ଭାଗ୍ୟବଶତଃ ସେ ନିଜ ପତ୍ନୀ ନିତି (୪୦), ଦୁଇ ପୁଅ ଉଦୟ (୧୪) ଓ ସମର (୫)ଙ୍କୁ ହରାଇଥିଲେ । ଏପରିକି ସେମାନଙ୍କ ମୃତଦେହ ହୋଟେଲରେ ଥିବା ତାଙ୍କ ରୁମର ବାଥରୁମରୁ ମିଳିଥିଲା । ତେବେ କାଙ୍ଗଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଫୋବର୍ସ ପର୍ସନ ଅଫ୍ ଦି ଇୟର ରୂପେ ଚୟନ କରାଯାଇଥିଲା । ଯିଏକି ଏବେ ଆମେରିକାର ତାଜ ହୋଟେଲରେ ଏରିଆ ଡାଇରେକ୍ଟର ଅଛନ୍ତି ।

ଆତଙ୍କବାଦୀ ଆକ୍ରମଣ ପରେ ତାଜ ହୋଟେଲର ଷଷ୍ଠ ମହଲାରେ ନିଆଁ ଲାଗିଯାଇଥିବା ବେଳେ ଏକ ରୁମରେ କାଙ୍ଗଙ୍କ ପତ୍ନୀ ଏବଂ ଦୁଇ ପିଲା ଥିଲେ। ସେ ସମୟରେ କାଙ୍ଗଙ୍କ ପାଖରେ ଦୁଇଟି ରାସ୍ତା ଥିଲା । ପ୍ରଥମରେ ସେ ହୋଟେଲରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିବେ କିମ୍ବା ନିଜ ପରିବାର ବର୍ଗଙ୍କୁ ସୁରକ୍ଷିତ ବାହାରକୁ ଆଣିବ ।

କାଙ୍ଗ ପ୍ରଥମେ ସୁରକ୍ଷାକର୍ମୀଙ୍କ ସହ ମିଶି ଲୋକଙ୍କୁ ହୋଟେଲରୁ ବାହାରକୁ ଆଣିଥିଲେ । ହେଲେ ସେ ତାଙ୍କ ପରିବାର ବର୍ଗଙ୍କ ପାଖରେ ପହଞ୍ଚିବା ବେଳକୁ ତାଙ୍କ ପତ୍ନୀ ଓ ଛୁଆ ମାନଙ୍କର ମୃତ୍ୟୁ ହୋଇସାରିଥିଲା ।

ଏହି ଆକ୍ରମଣ ପରେ ରତନ ଟାଟା କାଙ୍ଗଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ ସମବେଦନା ମଧ୍ୟ ଜଣାଇଥିଲେ । ଯାହା ପରେ ସେ ତାଙ୍କୁ କହିଥିଲେ ଯେ ‘ସାର୍ ଆମେ ତାଜକୁ ପୂର୍ବପରି କରିବାକୁ ଯାଉଛୁ । କାଙ୍ଗଙ୍କ କଥା ଶୁଣି ରତନ ଟାଟା ଚକିତ ହୋଇପଡିଥିଲେ ।

ଏପରିକି ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ନିକୋଲସ୍ ସରକୋଜି ମଧ୍ୟ କାଙ୍ଗଙ୍କ ସାହସିକତା ଲାଗି ତାଙ୍କୁ ଅଫିସର ଅଫ୍ ନ୍ୟାସନାଲ୍ ଅର୍ଡର ଅଫ୍ ମେରିଟ୍ ମେଡେଲ୍ ଦେଇ ସମ୍ମାନିତ କରିଥିଲେ । ଏହି ଆକ୍ରମଣ ସମୟରେ ହୋଟେଲରେ ଫ୍ରାନ୍ସର କିଛି ବାସିନ୍ଦା ମଧ୍ୟ ରହିଥିଲେ ।

 

Leave a Reply